ଗିରଫ ହେଲେ ବ୍ରହ୍ମପୁର ଆରଆଣ୍ଡ୍‌ବି ଡିଭିଜନର ଏଇଇ, ରେଡରୁ ମିଳିଛି ଆୟଠାରୁ ୧୧୯% ଅଧିକ ସମ୍ପତ୍ତି

Published By : Prameya-News7 Bureau | June 01, 2025 IST

ବ୍ରହ୍ମପୁର: ଗିରଫ ହେଲେ ରାସ୍ତା ଓ କୋଠାବାଡ଼ି ଡିଭିଜନ-୧ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଚୌଧୁରୀ। ରବିବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଶନିବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବ୍ରହ୍ମପୁର ସମେତ ଭୁବନେଶ୍ବରରେ ଏକକାଳୀନ ଭାବେ ୪ଟି ସ୍ଥାନରେ ରେଡ ଚଢ଼ାଉ କରିଥିଲା। ରେଡରୁ ତାଙ୍କ ଆୟର ୧୧୯% ଅଧିକ ବହିର୍ଭୁତ ସମ୍ପତ୍ତି ମିଳିଛି।ବଡ଼ କଥା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ଶନିବାର ଥିଲା ଚାକିରିରୁ ଅବସରର ଦିନ। 

ହେଲେ ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘରେ ଆରମ୍ଭ ହେଲା ଭିଜିଲାନ୍ସ ଚଢ଼ଉ । ଚଢ଼ଉରେ ଗୋଟିଏ ଦୁଇ ମହଲା କୋଠା, ବ୍ରହ୍ମପୁର ଓ ଭୁବନେଶ୍ୱରର ଦାମୀ ଆପାର୍ଟମେଣ୍ଟରେ ଦୁଇଟି ଫ୍ଲାଟ୍‌ ଓ ୧୧ ଗୋଟି ପ୍ଲଟ୍‌ ସମେତ ୨୮.୫୩ ଲକ୍ଷ ଟଙ୍କାର ବିଭିନ୍ନ ଜମା ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ଦୁଇଟି ବାଇକ୍‌ ଓ ଘର କରଣା ସାମଗ୍ରୀ ମଧ୍ୟ ଠାବ ହୋଇଛି । ଏନ୍‌. ଦିଲ୍ଲୀପ କୁମାର ଚୌଧୁରୀ ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ବିଭାଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟକରି ଆସୁଛନ୍ତି ।

ଶନିବାର ସନ୍ଧ୍ୟାରେ ସେ ଅବସର ଗ୍ରହଣ କରିବାର ଥିଲା । ଶନିବାର ଭୋର୍‌ ଭିଜିଲାନ୍ସର ୩ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୭ ଇନ୍‌ସ୍ପେକ୍ଟରଙ୍କୁ ନେଇ ଗଠିତ ୪ଟି ଟିମ୍‌ ଇଂ ଚୌଧୁରୀଙ୍କ ଘରେ ଚଢ଼ଉ କରିଥିଲା । ଯନ୍ତ୍ରୀ ଚୌଧୁରୀଙ୍କ ସରକାରୀ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ଧର୍ମନଗର ସ୍ପେକ୍ଟ୍ରମ ରୟାଲ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌, ଅନ୍ଧପସରା ରୋଡ ମୟୁରୀ ବିହାରରେ ଥିବା ଦୁଇ ମହଲା କୋଠା ଓ ଭୁବନେଶ୍ୱର ସହିଦ ନଗର ଇଭୋସ୍‌ ଏକ୍‌ସୋଟିକା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି । 

ଯାଞ୍ଚ ସମୟରେ ଭିଜିଲାନ୍ସ ଟିମ୍‌ ବ୍ରହ୍ମପୁର ସହର ଆଖପାଖରେ ଇଂ ଚୌଧୁରୀଙ୍କ ନାମରେ ୧୧ଟି ଦାମୀ ପ୍ଲଟ୍‌ ସାଙ୍ଗକୁ ୨୮.୫୩ ଲକ୍ଷ ଟଙ୍କାର ବୀମା ଓ ବିଭିନ୍ନ ବ୍ୟାଙ୍କ ଜମା ଠାବ କରିଛି । ଭୁବନେଶ୍ୱରରେ ଏକ ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ୍‌, ବ୍ରହ୍ମପୁରର ଏକ ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ସାଙ୍ଗକୁ ଅନ୍ଧପସରା ମୟୁରୀ ବିହାରରେ ଦୁଇ ମହଲା କୋଠା ଓ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଜବତ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.