ମୁମ୍ଵାଇ ୦୩।୦୬; ଗାୟକ ଅଦନାନ ସାମୀ । ପାକିସ୍ତାନର ନାଗରିକତା ଛାଡି ୨୦୧୬ରେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ। ୨୦୧୬ରେ ଭାରତୀୟ ନାଗରିକ ହୋଇଥିବା ଅଦନାନ ସାମିଙ୍କୁ ପାକିସ୍ତାନରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଗାୟକ ଜଣକ ତାଙ୍କର ଏକ ପୁରୁଣା ସାକ୍ଷାତକାରରେ ଏହା ଉଲ୍ଲେଖ କରିଥିଲେ ଯେ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ପାକିସ୍ତାନ ତାଙ୍କୁ ଭିସା ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲା। ଭିସା ନ ମିଳିବା ଯୋଗୁଁ, ତାଙ୍କୁ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ମାଆଙ୍କୁ ଶେଷ ବିଦାୟ ଦେବାକୁ ପଡିଥିଲା।
ଗତ ବର୍ଷ ଅକ୍ଟୋବରରେ ଅଦନାନଙ୍କ ମାଆଙ୍କ ମୃତ୍ୟୁ ପରେ ସେ ଭିସା ପାଇଁ ଆବେଦନ କରିଥିଲେ, କିନ୍ତୁ ପାକିସ୍ତାନ ସରକାର ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା। ଗାୟକ ଏହି କାହାଣୀକୁ ରଜତ ଶର୍ମାଙ୍କ ଶୋ ‘ଆପ୍ କି ଅଦାଲତ’ରେ ସେୟାର କରି କହିଥିଲେ ଯେ ଅକ୍ଟୋବର ୨୦୨୪ରେ ତାଙ୍କ ମାଆଙ୍କ ମୃତ୍ୟୁ ପରେ, ସେ ପାକିସ୍ତାନ ଯାଇ ତାଙ୍କ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଚାହୁଁଥିଲେ, କିନ୍ତୁ ସରକାର ତାଙ୍କୁ ଏପରି କରିବାକୁ ଦେଇ ନଥିଲେ।
ଗାୟକ କହିଥିଲେ, “ମୁଁ ଭିସା ପାଇଁ ଆବେଦନ କରିଥିଲି, କିନ୍ତୁ ସେମାନେ (ପାକିସ୍ତାନ ସରକାର) ମନା କରିଦେଲେ। ମୁଁ ଲେଖିଥିଲି ଯେ ମୋ ମାଆଙ୍କ ଦେହାନ୍ତ ହୋଇଯାଇଛି ଏବଂ ମୋତେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ପଡିବ, କିନ୍ତୁ ମୋର ଭିସାକୁ ପ୍ରତ୍ୟାଖ୍ୟାନ କରିଦିଆଗଲା। ମୁଁ ମୋ ମାଆଙ୍କ ଅନ୍ତିମ ବିଦାୟର ସବୁ କାର୍ଯ୍ୟ ହ୍ୱାଟ୍ସଆପ୍ ଭିଡିଓ କଲ୍ରେ ହିଁ ଦେଖିଲି।” ପାକିସ୍ତାନୀ ନାଗରିକତା ଛାଡିବା ପରେ, ଅଦନାନଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି।
ଅନେକ ଲୋକ ଗାୟକଙ୍କ ଉପରେ ଟଙ୍କା ଲୋଭରେ ଭାରତୀୟ ନାଗରିକତା ନେଇଥିବା ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ନିଜର ନୀରବତା ଭାଙ୍ଗି ଗାୟକ କହିଛନ୍ତି ଯେ ସେ ଟଙ୍କା ପାଇଁ ପାକିସ୍ତାନୀ ନାଗରିକତା ତ୍ୟାଗ କରିନାହାଁନ୍ତି। ତାଙ୍କର ପାକିସ୍ତାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ଯାହାକୁ ସେ ଛାଡି ଭାରତ ଆସି ସବୁକିଛି କରିଥିଲେ। ସେ କୁହନ୍ତି ଯେ ଜଣେ କଳାକାରଙ୍କୁ କେବଳ ପ୍ରେମ ଏବଂ ସମ୍ମାନର ଆବଶ୍ୟକତା ଅଛି ଏବଂ ଏହି ଏକମାତ୍ର କାରଣ ପାଇଁ ସେ ଭାରତରେ ରହିଥିଲେ।