LIVE TV
LIVE TV

ପ୍ରଧାନମନ୍ତ୍ରୀଙ୍କ ‘ଡ୍ରାମା’ ବୟାନର ପାଲଟା ଜବାବ ଦେଲେ ପ୍ରିୟଙ୍କା ଗାନ୍ଧି, କହିଲେ- ଜନତାଙ୍କ ପ୍ରସଙ୍ଗ ଆଲୋଚନାରୁ ବର୍ତ୍ତିବା ଅସଲ ନାଟକ

NEWS7
advocate-a-p-singh-said-will-fight-hathras-case-in-court

ନୂଆଦିଲ୍ଲୀ ୧।୧୨: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଡ୍ରାମା’ ବୟାନକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ବାସ୍ତବରେ ମହଙ୍ଗା, ବେକାରୀ ଓ ପ୍ରଦୂଷଣ ଭଳି ଆଲୋଚନାରୁ ବର୍ତ୍ତିବା ହିଁ ଅସଲ ଡ୍ରାମା। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ସଂସଦ ଆରମ୍ଭରେ ବିରୋଧୀ ଦଳଙ୍କୁ ଟାର୍ଗେଟ କରି କହିଥିଲେ ଯେ ‘ସଂସଦ ହଙ୍ଗାମାର ସ୍ଥାନ ନୁହେଁ, ଏଠାରେ ଡ୍ରାମା ନୁହେଁ ଡେଲିଭରୀ ହେବା ଦରକାର’।

ଏହି ଟିପ୍ପଣୀ ଉପରେ ପ୍ରିୟଙ୍କା ଗାନ୍ଧି ପାଲଟା ଜବାବ ଦେଇ କହିଛନ୍ତି ଯେ ସଂସଦରେ ଜନତାଙ୍କ ପ୍ରସଙ୍ଗ ଉଠାଇବାକୁ ଡ୍ରାମା କିପରି କହିବା? ମହଙ୍ଗା,ପ୍ରଦୂଷଣ, ଏସଆଇଆର ଭଳି ଜରୁରି ପ୍ରସଙ୍ଗରେ କଥା ହେବା ଡ୍ରାମା ନୁହେଁ। ସଂସଦ ଏହି କାମ ପାଇଁ। ଅସଲ ଡ୍ରାମା ତ ହେଉଛି ଏଥି ପାଇଁ ଆଲୋଚନାକୁ ଅନୁମତି ନ ଦେବା। ସେ କହିଛନ୍ତି ଯେ ଗଣତନ୍ତ୍ରରେ ଲୋକଙ୍କ ସମ୍ପର୍କିତ ପ୍ରଶ୍ନ ଉପରେ ବିତର୍କ ରୋକିବା ଅସଲ ନାଟକ। ବିରୋଧୀଙ୍କ କାମ ହେଉଛି ପ୍ରଶ୍ନ କରିବା ଓ ସରକାର ଏହାର ଜବାବ ଦେବାକୁ ବାଧ୍ୟ। ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟତୀତ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଉପରେ କଡ଼ା ବିରୋଧ କରିଛନ୍ତି।

ଅଭିଷେକ ବାନାର୍ଜୀ କହିଛନ୍ତି ଯେ ବିରୋଧୀ ଯଦି ଏସଆଇଆର ଉପରେ ବିତର୍କ ଦାବି କରୁଛନ୍ତି ଏଥିରେ ଡ୍ରାମାର କଥା ଉଠୁଛି କେଉଁଠି? ଯଦି ଜନତାଙ୍କ ସ୍ୱର ଉତ୍ତୋଳନ ଡ୍ରାମା ତେବେ ଆଗାମୀ ନିର୍ବାଚନରେ ଜନତା ଏହାର ଜବାବ ଦେବେ। ଅଭିଷେକ ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଉପରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିଏଲଓଙ୍କ ସମେତ ଏସଆଇଆରରେ ଏ ପର୍ଯ୍ୟନ୍ତ ୪୦ ଜଣଙ୍କ ମୃତ୍ୟୁ ହେଲାଣି। ଏଥି ପାଇଁ କେବଳ ନିର୍ବାଚନ କମିଶନ ଦାୟି, ଏଥିରେ ସରକାରଙ୍କ ଉତ୍ତରଦାୟିତ୍ୱ ମଧ୍ୟ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଆମେ ଏସଆଇଆରର ବିରୋଧ କରୁ ନାହୁଁ, ତେବେ ଏହାକୁ ଯେପରି କାର୍ଯ୍ୟାନ୍ୱୟନ କରାଯାଉଛି ଏହାକୁ ବିରୋଧ କରୁଛୁ।

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରେ ବିରୋଧୀ ଦଳ ଲୋକସଭାରେ ଜୋରଦାର ବିରୋଧ କରିଛନ୍ତି। କଂଗ୍ରେସ ଓ ଅନ୍ୟପାର୍ଟିମାନେ ବେକାରୀ, ମୂଲ୍ୟବୃଦ୍ଧି, ପ୍ରଦୂଷଣ ଓ ଏସଆଇଆରକୁ ନେଇ ଜୋରଦାର ହଙ୍ଗାମା କରିଛନ୍ତି। ସଂସଦଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟରେ ବ୍ୟବଧାନ ସୃଷ୍ଟି ହୋଇଥିବା ବେଳେ ବାଚସ୍ପତି ଗୃହ କାର୍ଯ୍ୟକୁ ସ୍ଥଗିତ କରିଦେଇଛନ୍ତି।