ବନ୍ଧୁପତ୍ନୀଙ୍କୁ କରୁଥିଲା ଏକତରଫା ପ୍ରେମ, ସାଙ୍ଗକୁ ମାରି ଏବେ ଜେଲ୍‌ରେ

NEWS7
aditya-dass-parents-post-video-in-social-media

ମାଲକାନଗିରି ୧୮।୨: ଉତ୍ତମ ଆଉ ସମୀର । ଉଭୟ ବେଶ୍ ଭଲ ସାଙ୍ଗ ଥିଲେ । ଘରକୁ ବି ଯିବା ଆସିବା ଥିଲା । ପରସ୍ପରର ସୁଖ ଦୁଃଖରେ ସାମିଲ ହେଉଥିଲେ । କିନ୍ତୁ ସମ୍ପର୍କରେ ଯେମିତି କାହା ନଜର ଲାଗିଗଲା । ଦିନେ ଏତେ ଭଲ ସାଙ୍ଗ ଥିବା ଉତ୍ତମ ଓ ସମୀର ପରସ୍ପରର ଶତ୍ରୁ ହୋଇଗଲେ । ଉତ୍ତମଙ୍କୁ ଦେଖିଲେ ଯେମିତି ସମୀରର ନାହି ଡେଉଁଥିଲା । କିନ୍ତୁ ହଠାତ୍ ଏମିତି କାହିଁକି ହେଲା ? ଏହା ପଛରେ ଥିଲା ଉତ୍ତମଙ୍କ ପତ୍ନୀ ପ୍ରତି ଏକତରଫା ଭଲପାଇବା । ଯାହା ସମୀରକୁ ଉତ୍ତମର ହତ୍ୟାକାରୀ ସଜାଇଦେଲା । ଅପରାଧର ଏ କାହାଣୀ ମାଲକାନଗିରି ଏମ୍-୧୬ର । ବନ୍ଧୁପତ୍ନୀଙ୍କୁ ପାଇବା ଲାଳସାରେ ବଇରୀ ସାଜିଥିଲା ଅଭିଯୁକ୍ତ ସମୀର । ବନ୍ଧୁକୁ ରାସ୍ତାରୁ ହଟାଇବାକୁ ନେଇଥିଲା ସୁପାରୀ କିଲରର ସାହାଯ୍ୟ । ୪୦ ହଜାରରେ ଡିଲ୍ ହୋଇଥିଲା ଫାଇନାଲ୍ । ମାରଣାସ୍ତ୍ରରେ ହାଣି ପକାଇଥିଲା ସୁପାରୀ କିଲର । ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଉତ୍ତମଙ୍କ ସାଙ୍ଗ ଏମ୍-୧୬ର ସମୀର ବୈଦ୍ୟ ଓ ସୁପାରୀ କିଲର ଏମ୍-୧୭ ବଜାରର ଗୋଟିଏ ମିଠା ଦୋକାନ କର୍ମଚାରୀ ଅଭିଜିତ ମଜୁମଦାର । ବହୁଚର୍ଚ୍ଚିତ ଏମ୍-୧୬ର ଉତ୍ତମ ବିଶ୍ବାସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ ।

ଏ ଖବର ବି ପଢ଼ନ୍ତୁ:- ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି, ରାଜ୍ୟ ବିଜେପିରେ ହେବ ଆଲୋଚନା

ସୂଚନାଯୋଗ୍ୟ ଯେ, ଏମ୍-୧୬ର ଉତ୍ତମ ଓ ସମୀରଙ୍କ ମଧ୍ୟରେ ରହିଥିଲା ଘନିଷ୍ଠ ବନ୍ଧୁତା । କୌଣସି କାରଣରୁ ସମୀରଙ୍କ ସ୍ତ୍ରୀ ଅନ୍ୟତ୍ର ରହୁଥିଲେ । ଉତ୍ତମଙ୍କ ଘରକୁ ନିୟମିତ ଯିବାଆସିବା କରୁଥିଲା ସମୀର । ବନ୍ଧୁ ପତ୍ନୀଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା । ଫୋନ୍‌ରେ ପ୍ରେମ ନିବେଦନ କରିଥିଲା । ସାଙ୍ଗ କଣ୍ଟା ସାଜୁଥିବା ଭାବି ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା । ମିଠା ଦୋକାନ କର୍ମଚାରୀ ଅଭିଜିତକୁ ସୁପାରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହତ୍ୟା ପାଇଁ ୫୦ ହଜାର ଟଙ୍କା ମାଗିଥିଲା ଅଭିଜିତ । ୪୦ ହଜାର ଟଙ୍କାରେ ଡିଲ୍ ଫାଇନାଲ୍ ହୋଇଥିଲା । ଗତ ୪ ତାରିଖରେ ସମୀର ଓ ଅଭିଜିତ ମିଶି ହତ୍ୟା ଯୋଜନା କରିଥିଲେ । ସନ୍ଧ୍ୟାରେ ଗାଁ ପାଖ କେନ୍ଦୁପତ୍ର ଗୋଦାମରେ ସମସ୍ତେ ମଦ ପିଇବା ଲାଗି ଏକାଠି ହୋଇଥିଲେ । ସମସ୍ତେ ମଦ ପିଉଥିବା ବେଳେ ଅଚାନକ ଆକ୍ରମଣ କରିଥିଲା ଅଭିଜିତ । ହତ୍ୟାକାଣ୍ଡ ପରେ ସମୀର ଓ ଅଭିଜିତ ମୃତକଙ୍କ ଚପଲ, ମୋବାଇଲ୍ ଫୋନ୍ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଚୁକ୍ତି ମୁତାବକ ୩୦ ହଜାର ଟଙ୍କା ନେଇଥିଲା ଅଭିଜିତ । ପରେ ଫେରାର ହୋଇଯାଇଥିଲା । ୫ ତାରିଖ ସକାଳୁ ଉତ୍ତମଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ମାଲକାନଗିରିରୁ ସମୀରକୁ ଗିରଫ କରାଯାଇଥିଲା । ପୋଲିସ ଅଭିଜିତକୁ କୋଲକାତାରୁ ଗିରଫ କରିଥିଲା ।