କ୍ୟାନସର ମାମଲାରେ ତୃତୀୟ ସ୍ଥାନରେ ଭାରତ, ଜାଣନ୍ତୁ କାହିଁକି ବଢୁଛି ରୋଗ?

NEWS7
aditya-dash-murder-case-chinmayee-fir-against-bidyashree

ନୂଆଦିଲ୍ଲୀ ୬।୧୨: ଭାରତରେ କ୍ୟାନସର ମାମଲା ଦ୍ରୁତ ବଢିବାରେ ଲାଗିଛି ଓ ଏହି ସ୍ନାସ୍ଥ୍ୟ ଚ୍ୟାଲେଞ୍ଜ ଦେଶ ଲାଗି ଗୁରୁତର ଚିନ୍ତାର କାରଣ ପାଲଟିଛି। ଲୋକସଭାରେ ସରକାର ଉପସ୍ଥାପନ କରିଥିବା ତଥ୍ୟ ଚିନ୍ତାଜନକ ସଂକେତ ଦେଉଛି। ଅନ୍ତର୍ଜାତୀୟ କ୍ୟାନସର ଗବେଷଣା ଏଜେନ୍ସୀ କ୍ୟାନସର ଅବଜର୍ଭେଟରୀ (ଆଇଏଆରସି) ଅନୁସାରେ ଭାରତରେ କ୍ୟାନସରର ଆନୁମାନିକ ମାମଲା ସଂଖ୍ୟା ୧୪,୧୩,୩୧୬ ଅର୍ଥାତ ପ୍ରତି ୧ ଲକ୍ଷରେ ୯୮.୫% ଲୋକେ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି।

ଏହି ହାର ଚୀନ୍ ରେ ପ୍ରତି ୧ ଲକ୍ଷ ୨୧୬.୬% ହୋଇଥିବା ବେଳେ ଯୁକ୍ତ ରାଷ୍ଚ୍ର ଆମେରିକାରେ ପ୍ରତି ୧ଲକ୍ଷ ୩୬୭%। ଏହି ହିସାବରେ ଭାରତ ଏବେ ବିଶ୍ୱର ତୃତୀତୟ ଦେଶ ଯେଉଁଠି କର୍କଟ ରୋଗ କାୟା ପ୍ରସାରିବାରେ ଲାଗିଛି। ସରକାର ସଂସଦରେ ଉପସ୍ଥାପନା କରିଥିବା ତଥ୍ୟ ଅନୁସାରେ ଭାରତରେ କ୍ୟନସର ଲୋଗୀ ଦ୍ରୁତ ବଢୁଛନ୍ତି। ୨୦୨୦ ମସିହାରେ ଅନୁମାନିକ ମାମଲା ସଂଖ୍ୟା ୧୩.୯୨ ଲକ୍ଷ ଥିବା ବେଳେ ୨୦୨୪ରେ ବଢି ୧୫.୩୩ ଲକ୍ଷ ହୋଇଯାଇଛି। ଅର୍ଥାତ ମାତ୍ର ୫ ବର୍ଷରେ ଦେଶରେ କ୍ୟାନସର ମାମଲା ୧୦%ରୁ ଅଧିକ ହାରରେ ବଢିଛି।

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ବିହାରରେ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସେହିପରି କେନ୍ଦ୍ରଶାସିତ ପ୍ରଦେଶମାନଙ୍କରେ ମଧ୍ୟ ପ୍ରତିଶତ ବୃଦ୍ଧି ସବୁଠୁ ଅଧିକ ରହିଛି। ଏଥିରେ ଦାମନରେ କ୍ୟାନସର ମାମଲା ସଂଖ୍ୟା ୩୯.୫୧% ବଢିଛି। ଏହା ଛଡା ଦାଦର ଓ ନଗରହାଭେଲୀରେ ୩୦.୦୯% ହାରରେ କ୍ୟାନସର ରୋଗ ବୃଦ୍ଧି ହେଉଥିବା ବେଳେ ସିକ୍କିମରେ ୨୬.୬%, ଲକ୍ଷଦ୍ୱୀପରେ ୧୮.୫୨%, ମଣିପୁରରେ ୧୮.୪୮% ମାମଲା ବୃଦ୍ଧି ହୋଇଛି। ଏହା ଛଡା ଦିଲ୍ଲୀ, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ କ୍ୟାନସର ୧୦% ହାରରେ ବୃଦ୍ଧି ହେଉଛି। ରିପୋର୍ଟ ଅନୁସାରେ ତମାଖୁ ସେବନ, ପ୍ରଦୂଷଣ ଓ ଜୀବନଶୈଳୀ ସମ୍ପର୍କିତ କାରଣ ଯୋଗୁ ଦେଶରେ କର୍କଟ ରୋଗ ତୀବ୍ର ବୃଦ୍ଧି ହେଉଛି।

ଜନସଂଖ୍ୟା ବହୁଳ ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶରେ ୨.୨୧ ଲକ୍ଷ ରୋଗୀ ଥିବା ବେଳେ ମହାରାଷ୍ଟ୍ରରେ ୧.୨୭ଲକ୍ଷ, ପଶ୍ଚିମ ବଙ୍ଗରେ ୧.୧୮ଲକ୍ଷ ଓ ବିହାରରେ ୧.୧୫ଲକ୍ଷ ରୋଗୀ ଅଛନ୍ତି। ଏହି ସବୁ ତଥ୍ୟରୁ ଏହା ସ୍ପଷ୍ଟ ଯେ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଅନୁସାରେ କ୍ୟାନସର ମାମଲା ବୃଦ୍ଧି ପଛରେ ଅନେକ କାରଣ ରହିଛି। ଏଥିରେ ଜୀବନ ଶୈଳୀରେ ପରିବର୍ତ୍ତନ, ତମାଖୁ ଓ ମଦ୍ୟପାନ ଆଦି କାରଣ ରହିଛି। ଏହା ଛଡା ସହରାଞ୍ଚଳରେ ବଢୁଥିବା ପ୍ରଦୂଷଣ ମଧ୍ୟ କ୍ୟାନସର ରୋଗର କାରଣ ହେଉଛି।

ଭାରତରେ କ୍ୟାନସର ଦ୍ରୁତ ବଢୁଥିବା ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍କ୍ରିନିଂ ଓ ଚିକିତ୍ସା ନିମନ୍ତେ ବ୍ୟାପକ ରଣନୀତିର ଆବଶ୍ୟକତା ରହିଛି। ଏଥିରେ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ, ଜୀବନ ଶୈଳୀରେ ସୁଧାର, ତମାଖୁ ନିୟନ୍ତ୍ରଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଅତ୍ୟନ୍ତ ଜରୁରି। ଏଥିରେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଆଗାମୀ ବର୍ଷମାନଙ୍କରେ କ୍ୟାନସର ମାମଲା ଆହୁରି ବଢିପାରେ। ଏଣୁ ଏହି ଗୁରୁତର ସ୍ୱାସ୍ଥ୍ୟ ସଂକଟର ମୁକାବିଲା ନିମନ୍ତେ ଦୃଢ ଓ ମଜଭୁତ ପଦକ୍ଷେପ ନିଆଯିବା ଜରୁରି।