ଚତୁର୍ଦ୍ଧାମୂରତିଙ୍କ ଅଧରପଣା ନୀତି ସଂପନ୍ନ, ତୃପ୍ତ ହେଲେ ଚଣ୍ଡି ଚାମୁଣ୍ଡା

Published By : Prameya-News7 Bureau | July 07, 2025 IST

ପୁରୀ: ରଥ ଉପରେ ସୋମବାର ଅନୁଷ୍ଠିତ  ହୋଇଛି ମହାପ୍ରଭୁଙ୍କର ଅଧରପଣା ନୀତି। ତୃପ୍ତ ହେଲେ ଚଣ୍ଡି ଚାମୁଣ୍ଡା। ରଥ ସହିତ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି ଚାମୁଣ୍ଡାଙ୍କ ଆହାର ତୃପ୍ତି ପାଇଁ ଏହି ଅଧର ପଣା ଭୋଗ ଓ ହାଣ୍ତି ଭଙ୍ଗା ଯିବାର ପରମ୍ପରା ରହିଛି। ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି  ଅଧର ପଣା ନୀତି। ଭକ୍ତଙ୍କ ଗହଣରେ ଏହି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। 

ଘୋଷଯାତ୍ରାର ଅନ୍ୟତମ ପ୍ରମୁଖ ଅଧରପଣା ନୀତି ରାତି ପ୍ରାୟ ୮ଟା ୩୦ରୁ ୯ଟା ଭିତରେ ସଂପନ୍ନ ହୋଇଛି। ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ରଥାରୁଢ଼ ଶ୍ରୀଜୀଉଙ୍କ ତିନିରଥ ଉପରେ ଏହି ଅଧରପଣା ଭୋଗ ନୀତି କରାଯାଇଛି। ଶ୍ରୀଜୀଉ ମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ୱିଥିବା ମାଟି ହାଣ୍ତିର ବଡ଼ ଓଡ଼ିଆ ମଠ ଓ ରାଘବ ଦାସ ମଠ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଛି। ପାଣିଆ ଆପଟ ସେବାୟତ ମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ମହାସୁଆର ସବୋୟତ ମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ପୂଜାପଣ୍ଡା ମାନେ ଏହି ପଣାକୁ ଶ୍ରଜୀଉ ମାନଙ୍କୁ ସମର୍ପଣ କରିବା ପରେ ହାଣ୍ତି ଗୁଡ଼ିକ ରଥ ଉପରେ ଭାଙ୍ଗିଛନ୍ତି।। 

ଏହି ଅଧରପଣା ଭୋଗ କରାଯାଇ ହାଣ୍ଡି ଗୁଡ଼ିକ ଭଙ୍ଗାଯିବାର ବିଶେଷ ମହତ୍ୱ ରହିଛି। ତିନି ରଥରେ ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍ଡି ଚାମୁଣ୍ଡା, ଅଶରୀର ଆତ୍ମାର ଶାନ୍ତି ନିମିତ୍ତ ଏହି ପଣା ଭୋଗ କରାଯାଇଛି। ସେମାନେ ଏହି ପଣାକୁ ପ୍ରସାଦ ରୁପେ ପାଇ ତୃପ୍ତ ହେବାର ବିଶ୍ୱାସ ରହିଛି। ଆଜିର ଏହି ଅଧର ପଣା ନୀତି ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୮ ଟା ସୁଦ୍ଧା ଅଧରପଣା ନୀତି ସମ୍ପନ୍ନ ହେବ ବୋଲି ନିର୍ଦ୍ଧାରଣ ହୋଇଥିଲେ ହେଁ ୯ଟାରେ ସଂପନ୍ନ ହୋଇଛି।

ତେବେ ଆଜିର ଏହି ନୀତି ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବାକୁ ଥିବାରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଆଜିର ଏହି ଅଧରପଣା ନୀତି ସମ୍ପନ୍ନ ହେବା ପରେ ଆସନ୍ତାକାଲି ଶ୍ରୀଜୀଉ ମାନେ ବିଜେ କରିବେ ରତ୍ନ ସିଂହାସନକୁ ଅର୍ଥାତ୍ ନିଳାଦ୍ରୀ ବିଜେ ନୀତି। ଶେଷ ହେବ ଚଳିତ ବର୍ଷର ଘୋଷଯାତ୍ରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.