ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଲାଗି ହେଲା ମହାପ୍ରସାଦ, କୃତାର୍ଥ ହେଲେ ଭକ୍ତ

Published By : Prameya-News7 Bureau | June 30, 2025 IST

ପୁରୀ ୩୦/୦୬: ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ରତ୍ନବେଦୀରୁ ଆସି ଜନ୍ମବେଦୀରେ ମହାବାହୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଗୁଣ୍ଡିଚା ମନ୍ଦିରରେ ପ୍ରଥମ ପାଇବା ପରେ କୃତାର୍ଥ ହୋଇଛନ୍ତି ଭକ୍ତ । ସେପଟେ ଆଜିଠୁ ଭକ୍ତଙ୍କୁ ମିଳିଛି ଆଡ଼ପ ଅବଢା । ସୁରୁଖୁରୁରେ ଶ୍ରଦ୍ଧାଳୁଙ୍କୁ ଆଡ଼ପ ଅବଢା ବଣ୍ଟନ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡପ ଅବଢ଼ା ମିଳିବ । 

ଭକ୍ତମାନେ ଯେଭଳି ସୁବିଧାରେ ମହାପ୍ରସାଦ ସେବନ କରିପାରିବେ ସେନେଇ ଗୁଣ୍ଡିଚା ମନ୍ଦିର ଭିତରେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି। ସେହିପରି ଅବଢ଼ା ଦର ଯେଭଳି ଚଢ଼ା ନ ହେବ ସେଦିଗରେ ନିଯୋଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। କୌଣସି ଭକ୍ତ ଅବଢ଼ା କିଣୁଥିବା ବେଳେ ଯଦି ଠକାମୀର ଶିକାର ହୁଅନ୍ତି ତେବେ ଅଭିଯୋଗ କରିପାରିବେ।

ସେପଟେ ଆଜି ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ରାତି ୯ରୁ ରାତି ୨ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସକାଳୁ ସକାଳୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଆଡ଼ପ ଦର୍ଶନ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଦୁଇଟି ଧାଡ଼ିରେ ବ୍ୟାରିକେଡରେ ଯାଇ ଆଡ଼ପ ଦର୍ଶନ କରି କୃତାର୍ଥ ହେଉଛନ୍ତି । 


ସୂଚନା ଥାଉକି, ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇ ଭଉଣୀଙ୍କ ସହ ଆଡ଼ପମଣ୍ଡପରେ ବିଜେ କରିଛନ୍ତି । ରବିବାର ବିଳମ୍ୱିତ ରାତିରେ ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ଚାରମାଳ ଫିଟାଯାଇଥିଲା । ଆଜିଠୁ ଭକ୍ତଙ୍କୁ ଆଡ଼ପ ଦର୍ଶନର ସୁଯୋଗ ମିଳିଛି ।  ୫ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା । 

ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ ଏବଂ ଆଡପ ଅବଢ଼ା ବାହାରିବ । ଅନ୍ୟପଟେ କାଲି ହେରାପଞ୍ଚମୀ ନୀତି, ୨ ତାରିଖରେ ରଥ ଦକ୍ଷିଣ‌ମୋଡ଼, ୪ ତାରିଖରେ ସଂଧ୍ୟା ଦର୍ଶନ, ୫ ତାରିଖରେ ବାହୁଡ଼ାଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।


  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.