ପୁରୀ ୨।୬: କେବଳ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହେଉଥିବା ଖଜା ହିଁ ମହାପ୍ରସାଦ । ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ସେ କହିଛନ୍ତି, ମହାପ୍ରସାଦ ନାଁରେ ଶ୍ରୀମନ୍ଦିର ବାହାରେ ଭକ୍ତଙ୍କୁ ଖଜା ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ଖଜାର ମାନ ଖୁବ୍ଶୀଘ୍ର ଯାଞ୍ଚ ଆରମ୍ଭ ହେବ । ଫୁଡ୍ ସେଫ୍ଟି ଲାଇସେନ୍ସ ବିନା ଖଜା ଫ୍ୟାକ୍ଟ୍ରି ଖୋଲିଥିବା ବ୍ୟବସାୟୀଙ୍କ ଉପରେ ହେବ ଚଢ଼ାଉ । ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । କେବଳ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହେଉଥିବା ଖଜା ହିଁ ମହାପ୍ରସାଦ ବୋଲି ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ପୁରୀ ଆସୁଥିବା ଭକ୍ତଙ୍କୁ ସାଂଘାତିକ ଠକେଇ ନେଇ ଅଭିଯୋଗ ଆସିଥିଲା । ଶ୍ରୀମନ୍ଦିର ବାହାରେ ଉଠା ଦୋକାନୀ ମାନେ ବିକ୍ରି କରୁଥିବା ଖଜାକୁ ମହାପ୍ରଭୁଙ୍କ ମହାପ୍ରସାଦ ନାମ ନେଇ ଭକ୍ତଙ୍କୁ ବିକ୍ରି କରୁଛନ୍ତି । ସାଧାରଣ ଭକ୍ତ ଟିଏ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ମଧ୍ୟ ମହାପ୍ରସାଦ ଭାବି କିଣି ନେଉଛନ୍ତି । କେବଳ ସେତିକି ନୁହେଁ ଉଠା ଦୋକାନୀ ମାନେ ଭକ୍ତଙ୍କୁ ଓଜନ ମାପରେ ବ୍ୟାପକ ଠକେଇ ମଧ୍ୟ କରୁଛନ୍ତି । ୧ କିଲୋ ଖଜା କିଣିଲେ ସେଥିରେ ୭ ଶହ ଗ୍ରାମର ଖଜା ଓଜନରେ ଉଠୁଛି । ବଡ଼ଦାଣ୍ଡରେ ଦୀର୍ଘ ଦିନ ହେବ ଏଭଳି ଠକେଇ ଚାଲିଥିବା ବେଳେ ନିକଟରେ କିଛି ଭକ୍ତ ପୋଲିସରେ ଅଭିଯୋଗ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ବ୍ରହ୍ମପୁରରୁ ପୁରୀ ଆସିଥିବା କିଛି ଭକ୍ତ ବଡ଼ଦାଣ୍ଡରୁ ଖଜା କିଣିବା ପରେ ଖଜା ଓଜନରେ ଠକେଇର ଶିକାର ହୋଇଥିବା ନେଇ ଜାଣି ପାରିଥିଲେ । ଏନେଇ ସିଂହଦ୍ଵାର ଥାନାରେ ଭକ୍ତମାନେ ଅଭିଯୋଗ କରିବା ପରେ ପୋଲିସ ଖଜା ବ୍ୟବସାୟ କରୁଥିବା ଦୁଇ ଜଣ ଉଠା ଦୋକାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେପଟେ ବରିଷ୍ଠ ସେବାୟତ କହିଥିଲେ, ଶ୍ରୀମନ୍ଦିର ବାହାରେ ଉଠା ଦୋକାନୀ ମାନେ ଖଜାକୁ ମହାପ୍ରସାଦ କହି ଭକ୍ତଙ୍କୁ ବିକ୍ରି କରିବା ଘଟଣା ଦୀର୍ଘ ବର୍ଷ ହେବ ଚାଲି ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ବନ୍ଦ କରିବା ଉଚିତ । କେବଳ ଆନନ୍ଦ ବଜାରରୁ ହିଁ ଖଜା କିଣିବାକୁ ଭକ୍ତଙ୍କୁ ସଚେତନ କରାଯିବାର ଆବଶ୍ୟକତା ଥିବା ବରିଷ୍ଠ ସେବାୟତ କହିଥିଲେ ।
ଶ୍ରୀମନ୍ଦିର ରୋଷ ଘରେ ଖଜା ତିଆରି ପରେ ମହାପ୍ରଭୁଙ୍କ ନିକଟରେ ଏହାକୁ ଭୋଗ ଭାବେ ଲାଗି କରାଯାଇଥାଏ । ପରେ ଏହା ମହାପ୍ରସାଦ ରୂପରେ ଆନନ୍ଦ ବଜାରରେ ବିକ୍ରି ହୋଇଥାଏ । କିନ୍ତୁ ଶ୍ରୀମନ୍ଦିର ବାହାରେ କେତେକ ବ୍ୟବସାୟୀ ଖଜା ଦୋକାନ କରିଥିବା ବେଳେ ଭକ୍ତଙ୍କୁ ଏହି ଖଜା ଶ୍ରୀମନ୍ଦିରର ମହାପ୍ରସାଦ କହି ବିକ୍ରି କରୁଛନ୍ତି । ଯାହା ଫଳରେ ସାଧାରଣ ଭକ୍ତଟିଏ ଶ୍ରୀମନ୍ଦିର ବାହାରୁ ଖଜା କିଣି ନିଜ ଅଜାଣତରେ ଠକେଇର ଶିକାର ହେଉଛି । କେବଳ ସେତିକି ନୁହେଁ ଖଜା ଦୋକାନୀ ମାନେ ମନଇଛା ଦରରେ ନିମ୍ନମାନର ଖଜା ଭକ୍ତଙ୍କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କାର ଲାଭ ଉଠାଉଛନ୍ତି । ଏଣୁ ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାକୁ ସୁଆର ମହାସୁଆର ନିଯୋଗ ସମ୍ପାଦକ ଦାବି କରିଥିଲେ ।
You Can Read
ଢେଙ୍କାନାଳ ସଦର ବ୍ଲକ୍ ବିଜେଡି ସଭାପତିଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ