ସବୁ ଜିଲ୍ଲାରେ ଆରମ୍ଭ ହୋଇନି ଧାନ କିଣା, ଶୀଘ୍ର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

NEWS7
action-on-co-operative-officer-

ଭୁବନେଶ୍ବର ୧୨।୧: ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଣ୍ଡିରେ ଧାନ ପଡିଛି । କିଣା ଆରମ୍ଭ ହୋଇନାହିଁ । ମୁଖ୍ୟମନ୍ତ୍ରୀ ୧୦ ତାରିଖ ଭିତରେ ସବୁ ଜିଲ୍ଲାରେ ଧାନ କିଣା ହେବ ବୋଲି କହିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ୮ ଜିଲ୍ଲାରେ ଧାନ କିଣା ହୋଇନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ଯେଉଁଠି ମଣ୍ଡି ଖୋଲିଛି ସେଠାରେ ଧାନ ଉଠୁ ନାହିଁ । ଆଉ ଯେଉଁଠି ଧାନ ଉଠୁଛି ସେଠାରେ ୫ରୁ ୧୦ କେଜି କଟନୀ ଛଟନୀ ହେଉଛି । ସରକାର କେବଳ ଭାଷଣ ଦେଉଛନ୍ତି । ଏହା ଚାଷୀଙ୍କୁ ଉପହାସ । ସରକାର ଧାନ ନ ଉଠାଇବା ଫଳରେ ବାଧ୍ୟ ହୋଇ ଚାଷୀ କମ୍ ଦରରେ ଦଲାଲଙ୍କୁ ଧାନ ବିକୁଛନ୍ତି । ଯେଉଁମାନେ ଟୋକନ ପାଇ ନାହାନ୍ତି ସେମାନେ ଅନିଶ୍ଚିତତା ଦେଇ ଗତି କରୁଛନ୍ତି । ଏହାର ଶୀଘ୍ର ସମାଧାନ ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି ।

ଉଲ୍ଲେଖଯୋଗ୍ୟ ଯେ, ମିଲର ସଂଘର ଆନ୍ଦୋଳନ ପାଇଁ ତିନି ଦିନ ଧରି ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଚାଷୀ ଧାନ ବସ୍ତା ଧରି ମଣ୍ଡିରେ ମୁଣ୍ଡରେ ହାତ ଦେଇ ବସିଥିଲେ । ତିନି ଦିନ ପରେ ୧୯ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା । କିନ୍ତୁ ବାକି ୧୧ ଜିଲ୍ଲାରେ ୧୦ ତାରିଖରୁ ଧାନ କିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

୪ ଦଫା ଦାବି ନେଇ ସାରା ରାଜ୍ୟରେ ମିଲର୍ସ ସଙ୍ଘ ଆନ୍ଦୋଳନ ଡାକରା ଦେଇଥିଲା । ତେବେ ୪ ଦାବିରୁ ସରକାର ଗୋଟିଏ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ ମିଲର୍ସ ସଂଘ । ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଦାବିକୁ ସରକାର ମାନି ନେବାପରେ ସଂଘ ଆନ୍ଦୋଳନରୁ ଓହରିଛି । କଷ୍ଟମ୍ ମିଲିଂ ଚାର୍ଜ ବଢ଼ାଇବା ସହିତ ଚାଉଳ ପରିବହନ ବାବଦ ଖର୍ଚ୍ଚ ବୃଦ୍ଧି କରିବା, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଆଦି ଦାବି ରହିଥିଲା ସଂଘ । ସେଥିରୁ ସରକାର ଗୋଟିଏ ଦାବି ମାନିଥିବା ବେଳେ ଲିଖିତ ପ୍ରତିଶ୍ରୁତି ଦେଇନଥିବାରୁ ସଂଘ ନିଜ ଜିଦରେ ଅଟଳ ରହିଥିଲା । ଯୋଗାଣ ମନ୍ତ୍ରୀ ଗଣମାଧ୍ୟମ ଆଗରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଥିବା କହିବା ପରେ ମଧ୍ୟ ସଂଘ ଲିଖିତ ପ୍ରତିଶ୍ରୁତିକୁ ଅପେକ୍ଷା କରିଥିଲା । ସରକାରଙ୍କ ପ୍ରତିଶ୍ରୁତି ମିଳିବା ପରେ ଧାନ ସଂଗ୍ରହ ଆରମ୍ଭ କରିଥିଲେ ମିଲର୍ସ ।