ଘରୋଇ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଘଟଣା: ମାଲିକଙ୍କୁ ଜେରା, କାଗଜପତ୍ର ଯାଞ୍ଚ

Published By : Prameya-News7 Bureau | June 09, 2025 IST

କଟକ ୦୯/୦୬: କଟକର ଏକ ଘରୋଇ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଘଟଣାରେ ଆକ୍ସନ । ମାମଲାର ଯାଞ୍ଚ ଆରମ୍ଭ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ହସ୍ପିଟାଲରେ ADMO ଓ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏମିତିକି ହସ୍ପିଟାଲର କାଗଜ ପତ୍ର ଯାଞ୍ଚ କରାଯାଇଛି । ଏହାସହ ହସ୍ପିଟାଲର ମାଲିକଙ୍କୁ ବି ଜେରା କରାଯାଇଛି । 

ସୂଚନା ଥାଉକି, କଟକର ଏକ ଘରୋଇ ନର୍ସିଂହୋମ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରି ଜଣେ ଯବାନ୍‌ଙ୍କ ପତ୍ନୀଙ୍କ ମଳ ନଳୀ କାଟି ଦିଆଯାଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାମଲାର ତଦନ୍ତ ପାଇଁ ଏକ ଟେକ୍ନିକାଲ୍‌ ଟିମ୍‌ ଗଠନ ହୋଇଛି । ଟିମ୍‌ରେ ସ୍ତ୍ରୀ ରୋଗ 

ଓ ପ୍ରସୂତି ବିଭାଗ, ସର୍ଜରୀ ବିଭାଗ ବିଶେଷଜ୍ଞ ଡାକ୍ତରଙ୍କୁ ସାମିଲ ଅଛନ୍ତି । 

ଏମାନେ ପୀଡ଼ିତା ଦୀପ୍ତିମୟୀ ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା ଓ ରିପୋର୍ଟ ଯାଞ୍ଚ୍‌ କରୁଛନ୍ତି । ପରେ ଟିମ୍‌ର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ସିଡିଏମ୍‌ଓ ଡାକ୍ତର ପ୍ରଶାନ୍ତ ହୋତା । ଏହାସହ ଏଭଳି ସମ୍ବେଦନଶୀଳ ଘଟଣାରେ ନର୍ସିଂହୋମ୍‌ର ପଞ୍ଜିକରଣ ଯାଞ୍ଚ୍‌ କରାଯିବ ବୋଲି ସୂଚନା ଦେଇ ସିଡିଏମ୍‌ଓ ଡାକ୍ତର ହୋତା କହିଛନ୍ତି ଯେ, ଦିପ୍ତୀମୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବରକାଗଜରୁ ଜାଣିବା  ପରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ତେଣୁ ପୀଡ଼ିତା କିଭଳି ନ୍ୟାୟ ପାଇବେ ସେଥିପ୍ରତି ଆମେ ସଜାଗ ରହିଛୁ । 

ଟେକ୍ନିକାଲ୍‌ କମିଟି ରିପୋର୍ଟ ଆଧାରରେ ଯଦି ସେଥିରେ କାହାର ଭୁଲ୍‌ ଧରାପଡେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ହେତା ପ୍ରକାଶ କରିଛନ୍ତି । ଦୀପ୍ତିମୟୀଙ୍କ ପୂର୍ବରୁ ଦୁଇଟି ସନ୍ତାନ ଥିବାରୁ ପରିବାରର ସହମତିରେ ଗର୍ଭପାତ କରିବାକୁ କଟକ ରାଣୀହାଟର ଏକ ଘରୋଇ ନର୍ସିଂହୋମ୍‌କୁ ଆସିଥିଲେ । 

ଏଠାରେ ଅସ୍ତ୍ରୋପଚାର ସମୟରେ ତାଙ୍କର ମଳ ନଳୀକୁ କାଟି ଦିଆଯାଇଥିବାରୁ ସେ ଗୁରୁତର ହୋଇଥିଲେ । ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତ୍ରୁଟିପୂର୍ଣ୍ଣ ଅପରେସନ୍‌ କରିଥିବା ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ବିରୋଧରେ ପୀଡ଼ିତା ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଏତଲା ଆଧାରରେ ମାମଲା ମଧ୍ୟ ରୁଜୁ କରିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.