ନୂଆଦିଲ୍ଲୀ: ରିଲ୍ସ କି ଝିଅ ରୋଜଗାର ନୁହେଁ ପ୍ରେମ ପାଇଁ ହୋଇଛି କି ହତ୍ୟା? ହରିୟାଣାର ଗୁରୁଗ୍ରାମର ଟେନିସ ଖେଳାଳି ହତ୍ୟା ଘଟଣାରେ ଟ୍ୱିଷ୍ଟ! ଝିଅ କ୍ୟାରିୟର ପାଇଁ ଅଢେଇ କୋଟି ଖର୍ଚ୍ଚ କରିଥିଲା ବାପା। ମୃତ୍ୟୁ ପୂର୍ବରୁ ଡିଲିଟ୍ ହୋଇଥିଲା ସୋସିଆଲ ମିଡିଆ ଆକାଉଣ୍ଟ। ତେବେ ଝିଅକୁ କାହିଁକି ମାରିଲା ବାପା ? 'ହତ୍ୟାକାରୀ' ବାପାଙ୍କ ଉପରେ ଏବେ ପୋଲିସର ବଢୁଛି ସନ୍ଦେହ? ୨୫ ବର୍ଷୀୟା ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ବାପା ହତ୍ୟା କରିଥିବା ସତ ନା ମିଛ ?
ରାଜ୍ୟସ୍ତରୀୟ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ତିନିଥର ଗୁଳି କରି ହତ୍ୟା କରିଥିଲେ। ଏହା ଅଭିଯୁକ୍ତ ନିଜେ ସ୍ୱୀକାର କରିଛି। ଏହି ଘଟଣା ସେକ୍ଟର-57 ସ୍ଥିତ ସେମାନଙ୍କ ଘରେ ହିଁ ଘଟିଥିଲା। ଘଟଣା ଦିନ, ଯେତେବେଳେ ରାଧିକା ଘରେ ରୋଷେଇ କରୁଥିଲେ। ସେତେବେଳେ ଦୀପକ ପଛରୁ ତିନୋଟି ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ପିଠି ତଳ ଭାଗରେ ଏବଂ ଦୁଇଟି ଗୁଳି ତାଙ୍କ ଛାତିରେ ବାଜିଥିଲା। ଘଟଣାସ୍ଥଳରେ ଆଖି ବୁଜି ଦେଇଥିଲେ ରାଧିକା।
ଅଭିଯୁକ୍ତ ବାପାଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନିଆଯାଇଛି। ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ବନ୍ଧୁକ ଉଦ୍ଧାର କରାଯାଇଥିଲେ ଅନ୍ୟ ଅସ୍ତ୍ର ଉଦ୍ଧାର ହୋଇନି। ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିଥିଲେ ବି ଠୋସ୍ ପ୍ରମାଣ ମିଳିନାହିଁ। ହତ୍ୟାର କାରଣ ଭାବରେ ଗାଁ ଲୋକଙ୍କ ଅପବାଦକୁ ଉଲ୍ଲେଖ କରିଛନ୍ତି ଅଭିଯୁକ୍ତ। ଝିଅର ରୋଜଗାରରେ ବାପା ଚଳିବାକୁ ଲୋକେ ଟାହିଟାପରା କରିବା ଓ ଏକାଡେମୀ ଯିବା ପାଇଁ ବାରଣ ପରେବି ଝିଅ ଅରାଜି ହେବା। ଏହି ଦୁଇଟି କାରଣ ପାଇଁ ଝିଅକୁ ହତ୍ୟା କରିଥିବା ବାପା କହିଛି। କିନ୍ତୁ ଏହି କାହାଣୀ ପୋଲିସର ସନ୍ଦେହ ବଢ଼ାଇଛି।
ତଦନ୍ତରୁ ଜଣାପଡିଛି ଯେ ଦୀପକ ଯାଦବଙ୍କ ମାସିକ ଆୟ ଲକ୍ଷେ ଟଙ୍କା ଥିଲା। ସେ ଦଲାଲ ବ୍ୟବସାୟରୁ ବାର୍ଷିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଏପରିକି ଭଡାରୁ ୫ରୁ ୧୦ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଥିଲେ। ଏପରି ସ୍ଥିତିରେ ଝିଅର ରୋଜଗାର ଉପରେ ବାପା ନିର୍ଭରଶୀଳ ହେବା ଯଥାର୍ଥ ନୁହେଁ। ସବୁଠୁ ବଡ଼ କଥା ହେଲା ଦୀପକ ରାଧିକାକୁ ତାଙ୍କର ଟେନିସ୍ ଏକାଡେମୀ ବନ୍ଦ କରିବାକୁ ଅନେକ ଥର କୁଆଡେ କହିଥିଲେ, କିନ୍ତୁ ରାଧିକା ମନା କରିଦେଇଥିଲେ। ଏହି ରାଗରେ ବାପା ଝିଅକୁ ମାରିଦେଇଥିଲା। କିନ୍ତୁ ଏହାକୁ ନେଇ ବଢିଛି ସନ୍ଦେହ।
କାରଣ ଦୀପକ ତାଙ୍କ ଝିଅର କ୍ୟାରିୟର ପାଇଁ ୨.୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। ରାଧିକାଙ୍କୁ ମହଙ୍ଗା ଟେନିସ୍ ରାକେଟ୍, ସ୍ପୋର୍ଟସ୍ ଗିଅର୍ ଏବଂ ବିଦେଶରେ ତାଲିମ ମଧ୍ୟ ଯୋଗାଇ ଦେବାପାଇଁ ସମସ୍ତ ସମର୍ଥନ ଦେଇଥିଲେ। ଆଘାତ ଯୋଗୁଁ ରାଧିକା ଗତ ଦୁଇ ବର୍ଷ ଧରି ଟେନିସ୍ ଠାରୁ ଦୂରରେ ଥିଲେ। ଏବେ ସେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହେବା ପାଇଁ କାମ କରୁଥିଲେ।
ରାଧିକା ଫିଟନେସ୍, ଟେନିସ୍ ଏବଂ ରିଲ୍ ତିଆରି କରୁଥିଲେ। ଯେଉଁଥିରେ ତାଙ୍କ ମାଆ ମଧ୍ୟ ତାଙ୍କୁ ସମର୍ଥନ କରୁଥିଲେ। କିନ୍ତୁ ବର୍ତ୍ତମାନ ବାପା ତାଙ୍କର ଏହି ପ୍ରବୃତ୍ତିକୁ ପସନ୍ଦ କରୁନଥିବା ପୋଲିସ ଆଗରେ କହିଛନ୍ତି। କିନ୍ତୁ ମୃତ୍ୟୁ ପୂର୍ବରୁ ରାଧିକାଙ୍କ ଆକାଉଣ୍ଟ ଡିଲିଟ୍ ହୋଇଥିଲା। ପୋଲିସ ସୋସିଆଲ ମିଡିଆ, ଏବଂ ବନ୍ଧୁଙ୍କ ତଦନ୍ତ କରି ପ୍ରକୃତ ଉଦ୍ଦେଶ୍ୟ ଖୋଜୁଛି। କୌଣସି ଲଭ୍ ଆଙ୍ଗଲ ରହିଛି କି ? ନା ହତ୍ୟା ପଛରେ ଅନ୍ୟ କୌଣସି କାରଣ ଅଛି? ସବୁ ଦିଗରୁ ନେଇ ତଦନ୍ତ କରୁଛି ପୋଲିସ।