ଭୁବନେଶ୍ୱର: ପ୍ରେମ, ବିବାହ ପ୍ରତିଶ୍ରୁତ, ଶାରୀରିକ ସମ୍ପର୍କ ଏବଂ ଶେଷରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ । ଏମିତି ଏକ କେସରେ ଭୁବନେଶ୍ବର ମହିଳା ଥାନା ପୋଲିସ ଜଣେ ପ୍ରେମିକକୁ ଗିରଫ କରିଛି । ପ୍ରେମିକ ତ ଗିରଫ ହେଲା, ହେଲେ ପରିଣାମ ଭୋଗିଲେ ମହିଳା ଏବଂ ତାଙ୍କ ପରିବାର । ଭିଡିଓ ଦେଖି ଗାଁରୁ କରିଦେଲ ନିଆଁ ପାଣି ବାସନ୍ଦ । ବିବାହିତ ମହିଳାଙ୍କୁ ବାହା ହେବେ ବୋଲି ମିଥ୍ୟା ପ୍ରତିଶ୍ରୁତି, ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ମହିଳା ଥାନା ପୋଲିସ ଆଶିଷ ପ୍ରଧାନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି ।
ପୁରା ଘଟଣା ଥିଲା କିଛି ଏମିତି । ଅଭିଯୋଗକାରିଣୀଙ୍କ ଘର ନୟାଗଡ଼ ଅଞ୍ଚଳରେ । ସେ ୨୦୧୪ରେ ନୟାଗଡ଼ର ନବକିଶାର ବିଶ୍ୱାଳଙ୍କୁ ବିବାହ କରିଥିଲେ । ତାଙ୍କର ୨ଟି ପୁତ୍ର ସନ୍ତାନ ରହିଛି । ୨୦୨୨ରେ ମହିଳା ତାଙ୍କ ସ୍ୱାମୀ ଏବଂ ୨ପୁଅଙ୍କ ସହ ଇନ୍ଫୋଭ୍ୟାଲି ଥାନା ଅଧୀନ ଯାଁଳାରେ ଏକ ଭଡ଼ା ଘରେ ରହୁଥିଲେ । ତାଙ୍କ ସ୍ୱାମୀ ରାଜମିସ୍ତ୍ରୀ ଭାବେ କାମ କରନ୍ତି । ପତ୍ନୀଙ୍କୁ ନିର୍ଯାତନା ମଧ୍ୟ ଦିଅନ୍ତି । ୨୦୨୩ ମାର୍ଚ୍ଚରେ ଅଭିଯୁକ୍ତ ଆଶିଷଙ୍କ ସହ ମହିଳାଙ୍କ ଦେଖା ହୁଏ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପକ ଗଢି ଉଠିଲା । ଯାହାକି ପରବର୍ତ୍ତୀ ସମୟରେ ନିବିଡ ହେବାକୁ ଲାଗିଲା । ଯେଉଁଥି ପାଇଁ ମହିଳା ଜଣକ ତାଙ୍କର ୨ପିଲାଙ୍କୁ ଧରି ବାପ ଘରକୁ ଚାଲିଯାଇଥିଲେ । ସେଠାରେ ୨ପିଲାଙ୍କୁ ଛାଡି ଭୁବନେଶ୍ୱର ପଳାଇ ଆସି ଆଶିଷ ସହ ରହିବାକୁ ଗଲେ ।
ଅଭିଯୁକ୍ତ ଜଣକ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଖରାପ ସମ୍ପର୍କ ରଖିବା ସହ ସେହି ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ନିଜ ମୋବାଇଲରେ ଉତ୍ତୋଳନ କରିନେଇଥିଲେ । ତା ପରେ ସେ ତାଙ୍କୁ ନେଇ ପିପିଲିରେ ଏକ ଭଡ଼ା ଘରେ ନେଇ ରଖିଥିଲେ । ରଖିବା ସହ ନିର୍ଯାତନା ଦେବାରେ ଲାଗିଲେ । ଏହି ସମୟରେ ମହିଳାଜଣକ ଗର୍ଭବୀତ ଥିବା ଜାଣିବାକୁ ପାଇଥିଲେ । ତାଙ୍କ ଗର୍ଭଧାରଣ ବିଷୟରେ ଅଭିଯୁକ୍ତ ଆଶିଷଙ୍କୁ ଜଣାଇବାରେ ସେ ରାଗି ଯାଇଥିଲେ । କହିଥିଲେ ଗର୍ଭନଷ୍ଟ କଲେ ହିଁ ସେ ତାଙ୍କୁ ବିବାହ କରିବ । ଏହା ଶୁଣି ଅଭିଯାଗକାରିଣୀ ଔଷଧ ଖାଇ ତାଙ୍କର ଗର୍ଭନଷ୍ଟ କରିଥିଲେ । ଏହାପରେ ଅଭିଯୋଗକାରିଣୀ ତାଙ୍କୁ ବିବାହ କରିବା ଲାଗି ଅନୁରୋଧ କରିଥିଲେ ମଧ୍ୟ ଆଶିଷ ତାଙ୍କୁ ମନା କରିଦେଲେ । ଗତ ୩ ତାରିଖ ଦିନ ଅଭିଯୋଗକାରିଣୀ ତାଙ୍କ ବାପାଙ୍କ ଠାରୁ ଫୋନ୍ ମାଧ୍ୟମରେ ଜାଣିବାକୁ ପାଇଲେ ଯେ, ଅଭିଯୁକ୍ତ ଆଶିଷ ପ୍ରଧାନ ତାଙ୍କର କିଛି ଫଟୋ ତାଙ୍କ ବାପା ଘର ପାଖରେ ଥିବା ଭାଇଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଭାଇରାଲ କରିଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଗାଁ ଲୋକେ ମହିଳାଙ୍କ ପରିବାର ଲୋକଙ୍କୁ ଗାଁରେ ନିଆଁପାଣି ବାସନ୍ଦ କରିବା ସହ ଗାଁରେ ରହିବାକୁ ଦେଇ ନଥିଲେ । ଅନ୍ୟ କୌଣସି ଉପାୟ ନ ପାଇ, ପୀଡ଼ିତା ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।