ମଧ୍ୟପ୍ରାଚ୍ୟରେ ବଡ଼ ଯୁଦ୍ଧ ଆଶଙ୍କା, ୫୦ ଯୁଦ୍ଧ ବିମାନ ପଠାଇଲା ଆମେରିକା

NEWS7
accroding-to-economic-survey-report-how-will-be-stock-market-situation-on-2025

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଘନଘଟା। ଇରାନ ଉପରେ ବଡ଼ ଧରଣର ଆକ୍ରମଣ ହେବା ଜଳଜଳ ଦିଶିଲାଣି। ଆମେରିକା ଓ ଇସ୍ରାଏଲ ମିଶି ଇରାନ ଉପରେ ପ୍ରଚଣ୍ଡ ହମଲା କରିବା ନେଇ ଆମେରିକୀୟ ଗଣମାଧ୍ୟମ ‘ଏକ୍ସି ଓସ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ବଡ଼ କଥା ହେଲା ଆମେରିକା ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରାଚ୍ୟକୁ ୫୦ରୁ ଅଧିକ ଯୁଦ୍ଧ ବିମାନ ପଠାଇଛି। ଏହି ବିମାନ ମଧ୍ୟରେ ଶକ୍ତିଶାଳୀ ଏଫ୍-୨୨, ଏଫ୍-୩୫ ଏବଂ ଏଫ୍-୧୬ ଫାଇଟର ଜେଟ୍ ଅନ୍ତର୍ଭୁକ୍ତ।

ପୂର୍ବରୁ ଆମେରିକା ଏହାର ଦୁଇଟି ବିଶାଳ ବିମାନବାହୀ ଯୁଦ୍ଧ ଜାହାଜ ପଠାଇଥିଲା। ଏଥିରେ ସବୁଠୁ ବଡ଼ ଜାହାଜ ‘ୟୁଏସ୍ଏସ୍ ଜେରାଲ୍ଡ ଆର୍ ଫୋର୍ଡ’ ଅନ୍ତର୍ଭୁକ୍ତ। ଏହି ଜାହାଜର ଓଜନ ପ୍ରାୟ ୧୫ ହଜାର ଆଫ୍ରିକୀୟ ହାତୀର ଓଜନ ସହ ସମାନ। ପୂର୍ବରୁ ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍ ଜାହାଜ ବି ମୁତୟନ ହୋଇସାରିଛି।

ଆମେରିକାର ୫୦ରୁ ଅଧିକ ଯୁଦ୍ଧ ବିମାନ ମଧ୍ୟପ୍ରାଚ୍ୟ ମୁହାଁ ହେବା ନେଇ ‘ଫ୍ଲାଇଟ-ଟ୍ରାକିଂ ଡାଟା’ ଓ ‘ମିଲିଟାରି ଏଭିଏସନ ମନିଟର୍ସ’ ଦ୍ଵାରା ଏକ ରିପୋର୍ଟରେ କୁହାଯାଇଛି। ଯୁଦ୍ଧ ବିମାନ ସାଙ୍ଗକୁ ଅନେକ ତୈଳଭର୍ଷି ଟ୍ୟାଙ୍କର ବିମାନ ବି ପଠାଯାଇଛି। ଏଥିରୁ ମଧ୍ୟପ୍ରାଚ୍ୟରେ ଲମ୍ବା ଅବଧି ଧରି ଯୁଦ୍ଧ କରିବାକୁ ଆମେରିକା ପ୍ରସ୍ତୁତ ହେଉଥିବା କୁହାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି।

ଗତ ମଙ୍ଗଳବାର ଜେନେଭାରେ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ମତଭେଦ ସୃଷ୍ଟି ହୋଇଥିଲା। ପରମାଣୁ କାର୍ଯ୍ୟକ୍ରମ ରୋକିବାକୁ ନେଇ ଆମେରିକା ରଖି ଥିବା ସର୍ଭକୁ ଇରାନ କୌଣସିମତେ ଗ୍ରହଣ କରି ନ ଥିଲା।