ଲଣ୍ଡନ ୧୦।୩: ପୂର୍ବ ଇଂଲଣ୍ଡ ଉପକୂଳରେ ସୋମବାର ଏକ ତୈଳ ଟ୍ୟାଙ୍କର ସହ ମାଲବାହୀ ଜାହାଜ ଧକ୍କା ଲାଗିଛି। ଫଳରେ ଦୁଇ ଜାହାଜ ମଧ୍ୟରେ ନିଆଁ ଲାଗିଯାଇଥିବା ବେଳେ ଅନୁନ୍ୟ ୨୦ ଜଣ ହତାହତ ହୋଇଛନ୍ତି। ଉଭୟ ଜାହାଜର ୩୨ଜଣ କର୍ମଚାରୀଙ୍କୁ କୂଳକୁ ଅଣାଯାଇଛି। ତେବେ ସେମାନଙ୍କ ଅବସ୍ଥା ନେଇ ତୁରନ୍ତ ସୂଚନା ମିଳିପାରି ନାହିଁ। ପୋର୍ଟ ଅଫ ଗ୍ରିମସବି ଇଷ୍ଟର ମୁଖ୍ୟ କାର୍ଯ୍ୟକାରୀ ମାର୍ଟିନ ବାୟର୍ସ କହିଛନ୍ତି ଯେ ୧୩ଜଣଙ୍କୁ ଉଦ୍ଧାର କରି ଭିଣ୍ଡକ୍ୟାଟ୍ ୩୩ ଜାହାଜକୁ ଅଣାଯାଇଛି। ଅନ୍ୟ ୧୯ ଜଣଙ୍କୁ ପାଇଲଟ ନୌକାରେ ବନ୍ଦରକୁ ଅଣାଯାଇଛି।
ବ୍ରିଟେନ ସମୁଦ୍ର ଓ ତଟରକ୍ଷୀ ଏଜେନ୍ସୀ କହିଛି ଯେ ନର୍ଥ ସିରେ ଘଟଣାସ୍ଥଳକୁ ଅନେକ ଲାଇଫବୋଟ ଓ କୋଷ୍ଟଗାର୍ଡ ହେଲିକପ୍ଟର ପଠାଯାଇଛି। ଏହା ସହିତ ଏକ ତଟରକ୍ଷୀ ବିମାନ ଓ ଅଗ୍ନିସମ କ୍ଷମତା ଥିବା ଜାହାଜଙ୍କୁ ମଧ୍ୟ ଦୁର୍ଘଟଣାସ୍ଥଳକୁ ପଠାଯାଇଛି। ଆରଏନଏଲଆଇ ଲାଇଫବୋଟ ଏଜେନ୍ସୀ ଅନୁସାରେ ଦୁର୍ଘଟଣା ପରେ କେତେକ ଲୋକ ଜାହାଜ ଛାଡି ପଳାୟନ କରିଥିଲେ ଓ ଦୁଇ ଜାହାଜରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଏବେ କୋଷ୍ଟଗାର୍ଡ ସହ ୩ ଲାଇଫବୋଟ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚଳାଇଛନ୍ତି।
ବିବିସି ଦ୍ୱାରା ପ୍ରସାରିତ ଭିଡିଓ ଫୁଟେଜରେ ଦୁଇ ଜାହାଜରୁ ଘନ କଳା ଧୂଆଁ ବାହାରୁଥିବାର ଦେଖାଯାଉଛି। ବନ୍ଦର ପ୍ରମୁଖ ବୋୟର୍ସ କହିଛନ୍ତି ଯେ ତାଙ୍କୁ କୁହାଯାଇଥିଲା ଏହା ଏକ ବିଶାଳ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଛି। ଏହି ଦୁର୍ଘଟଣା ବନ୍ଦରରୁ ପାଖାପାଖି ୧୦ ମାଇଲ ଦୂରରେ ହୋଇଛି ହେଲେ କୂଳରୁ ଦେଖାଯାଉଛି। ଜାହାଜ ଟ୍ରେକିଂ ସାଇଟ୍ ଭିସେଲଫାଇଣ୍ଡର ଅନୁସାରେ ୟୁଏସ୍ ପତାକା ଥିବା ରସାୟନିକ ଓ ତୈଳବାହୀ ଜାହାଜ ଏମ.ଭି.ଷ୍ଟେନା ଇମାକ୍ୟୁଲେଟ୍ ଟ୍ୟାଙ୍କର ଗ୍ରୀସରୁ ବାହାରିବା ପରେ ଲଙ୍ଗର ପକାଇ ରହିଥିଲା।
ସେପଟେ ପର୍ତ୍ତୁଗାଲ ପତାକା ଥିବା କଣ୍ଟୈନର ଜାହାଜ ସୋଲଙ୍ଗ ସ୍କଟଲ୍ୟାଣ୍ଡର ଗ୍ରେଞ୍ଜ ମାଉଥରୁ ନେଦର ଲ୍ୟାଣ୍ଡର ରଟଚରଡ୍ୟାମ ଯାଉଥିଲା। କୋଷ୍ଟଗାର୍ଡ ଅନୁସାରେ ଆଲାର୍ମ ସକାଳ ୯ଟା ୪୮(ଜିଏମଟି)ରେ ବାଜିଥିଲା। ଦୁର୍ଘଟଣା ସ୍ଥଳ ରାଜଧାନୀ ଲଣ୍ଡନରୁ ୨୫୫ କିଲୋମିଟର ଉତ୍ତରରେ କୋଷ୍ଟ ଅଫ ହଲରୁ ଦୂରରେ ରହିଛି।