ନୂଆଦିଲ୍ଲୀ: ଏସିଆ କପ୍କୁ ନେଇ ଜାରି ରହିଥିବା ଅନିଶ୍ଚତତା ଏବେ ଧୀରେ ଧୀରେ ଆଶାରେ ପରିଣତ ହେବାରେ ଲାଗିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁ ଟୁର୍ଣ୍ଣାମେଣ୍ଟ ଉପରେ ସଂକଟର ଯେଉଁ କଳା ବାଦଲ ଥିଲା, ତାହା ଏବେ ହଟୁଥିବା ନଜର ଆସୁଛି । ଆୟୋଜନକୁ ନେଇ ସକାରାତ୍ମକ ସଂକେତ ମିଳୁଛି । ବର୍ତ୍ତମାନ ସୁଦ୍ଧା କୌଣସି ଔପଚାରିକ ଘୋଷଣା ହୋଇ ନାହିଁ, କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏସିଆ କ୍ରିକେଟ୍ ପରିଷଦ ଆଗାମୀ ସପ୍ତାହରେ କୌଣସି ଆନୁଷ୍ଠାନିକ ଘୋଷଣା କରିପାରେ । କ୍ରିକବଜ୍ ରିପୋର୍ଟ ଅନୁସାରେ, ଏସିଆ କପ୍ ୨୦୨୫ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ।
ଯଦି ସବୁ କିଛି ଯୋଜନା ଅନୁସାରେ ହୁଏ, ତେବେ ଟି-୨୦ ଫର୍ମାଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ୱର ଦ୍ୱିତୀୟ ସପ୍ତାହରେ ଅର୍ଥାତ୍ ସେପ୍ଟେମ୍ୱର ୧୦ରୁ ଆରମ୍ଭ ହୋଇପାରେ । ଏଥର ଛଅ ଟିମ୍-ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ୟୁଏଇ ଅଂଶଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟର ପ୍ରଚାର ସମ୍ୱନ୍ଧୀୟ ଗତିବିଧି ଆରମ୍ଭ ହୋଇସାରିଛି ।
ୟୁଏଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହେବା ପାଇଁ ସବୁଠୁ ଆଗରେ ରହିଛି । ତେବେ ହାଇବ୍ରିଡ୍ ମଡେଲ ଉପରେ ବି ଚର୍ଚ୍ଚା ହେଉଛି । ଯେଉଁଥିରେ କିଛି ମ୍ୟାଚ୍ ଅଲଗା ଅଲଗା ଦେଶରେ ଖେଳାଯାଇପାରେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତକୁ ଆୟୋଜକ ଦେଶ ଘୋଷଣା କରାଯାଇଛି, କିନ୍ତୁ ଏସିସି ପୂର୍ବରୁ ସ୍ଥିର କରିସାରିଛି ଯେ ଭାରତ କିମ୍ୱା ପାକିସ୍ତାନ ଆୟୋଜକ ହେଲେ, ଟୁର୍ଣ୍ଣାମେଣ୍ଟକୁ ନ୍ୟୁଟ୍ରଲ୍ ଭେନ୍ୟୁରେ କରାଯିବ । ଭାରତ-ପାକିସ୍ତାନ ମୁକାବିଲା କ୍ରିକେଟ୍ ଜଗତରେ ସବୁଠୁ ଅଧିକ ରାଜସ୍ୱ ଦେଇଥାଏ । ତେବେ ବିସିସିଆଇର ଏହା ଉପରେ ନିର୍ଭରତା କମ, କିନ୍ତୁ ଆଇସିସି, ଏସିସି ଓ ଅନ୍ୟ ସଦସ୍ୟ ବୋର୍ଡଙ୍କ ପାଇଁ ରାଜସ୍ୱ ଗୁରୁତ୍ୱପୂର୍ଣ୍ଣ ।