ଭୁବନେଶ୍ବର: ଲୋକସେବା ଭବନରୁ ଏସି ୟୁନିଟ୍ ଚୋରି ଅଭିଯୋଗରେ ୪ ଜଣକୁ ବାନ୍ଧିଲା ପୋଲିସ। ସମସ୍ତ ଚାରି ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ଅଞ୍ଚଳ, ୟୁନିଟ୍-୫, କେଶରୀ ନଗର ବସ୍ତିରୁ ପୋଲିସ ଧରିଥିବାବେଳେ ସେମାନଙ୍କ ଘରୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଏମାନେ ଲୋକସେବା ଭବନରେ ଶ୍ରମିକ ଭାବରେ କାମ କରୁଥିବାରୁ ସୁଯୋଗର ଫାଇଦା ଉଠାଇ ଏସବୁ ଚୋରି କରିଥିଲେ।
ସୂଚନାଥାଉକି, ଲୋକସେବା ଭବନ ଆରଡି ସମ୍ମିଳନୀ ହଲ ଛାତରୁ ବାହାର ଏସି ୟୁନିଟ୍ ଭାଙ୍ଗି ତମ୍ବା ତାର ଚୋରି କରୁଥିବାର ଦେଖାଯାଇଥିଲା। ଅଭିଯୋଗକାରୀ ଏନେଇ ସେଠାରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଜଣାଇଥିଲେ, ଯାହା ପରେ କ୍ୟାପିଟାଲ ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ, ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଏବଂ ଫଟୋଗ୍ରାଫ୍ ସଂଗ୍ରହ କରାଯାଇଥିଲା।
ଆଉ ତଦନ୍ତକ୍ରମେ ସୋମବାର ଏହି ଚାରି ୪ ଶ୍ରମିକ ଧରାପଡ଼ିଛନ୍ତି। ଏମାନଙ୍କ ନିକଟରୁ ଆହୁରି ଅନେକ ଏସି ଆଉଟଡୋର ୟୁନିଟ ଓ ଏସିର କପର ତାର ଜବତ ମଧ୍ୟ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ତିନି ମହିଳା ହେଉଛନ୍ତି ଉର୍ମିଳା ପ୍ରଧାନ, କ୍ରିଷ୍ଣା ବିଷୋୟୀ, କୁମାରୀ ପ୍ରଧାନ ଅନ୍ୟ ଜଣେ ପୁରୁଷ ଶ୍ରମିକ ହେଉଛନ୍ତି ପ୍ରଫୁଲ୍ଲ କୁମାର ଜେନା ।