ନୂଆଦିଲ୍ଲୀ ୨୭।୪: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଚଳିତବର୍ଷ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂଘ ନିର୍ବାଚନରେ ଐତିହାସିକ ପ୍ରଦର୍ଶନ କରିଛି। ଏବିଭିପି ପ୍ରାର୍ଥୀମାନେ ବିଶ୍ୱବିଦ୍ୟାଳୟର ୧୬ ସ୍କୁଲ ଓ ବିଭିନ୍ନ ସଂଯୁକ୍ତ କେନ୍ଦ୍ରର ମୋଟ ୪୨ଟି କାଉନସେଲର ପଦବୀରୁ ୨୩ଟିରେ ବିଜୟୀ ହୋଇଛନ୍ତି। ବିଦ୍ୟାର୍ଥୀ ପରିଷଦ ଏହାକୁ ଏକ ଐତିହାସିକ ବିଜୟ ବୋଲି କହିଛି। ସେହିପରି ନିର୍ବାଚନ ଲଢୁଥିବା ଅନ୍ୟ ଛାତ୍ର ସଙ୍ଗଠନଙ୍କ ତୁଳନାରେ ସର୍ବାଧିକ ଆସନ ହାସଲ କରିଛି।
ଜେଏନୟୁର ବିଭିନ୍ନ ସ୍କୁଲ ଓ କେନ୍ଦ୍ରରେ ଏବିଭିପିର ପ୍ରଦର୍ଶନର କଥା କହିଲେ ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜର ୫ଟି କାଉନସେଲର ପଦରୁ ୨ଟିରେ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ସ୍କୁଲ ଅଫ ସୋସିଆଲ ସାଇନ୍ସେସ୍ ର ୫ଟି ପଦବୀରୁ ୨ଟିରେ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହା ଛଡା ସ୍କୁଲ ଅଫ ବାୟୋଟେକ୍ନୋଲଜିର ୨ଟିରୁ ଗୋଟିଏ, ସ୍ପେଶାଲ ସେଣ୍ଟର ଫର ମଲିକୁଲାର ମେଡିସିନର ଗୋଟିଏରୁ ଗୋଟିଏ, ସ୍କୁଲ ଅଫ କମ୍ପ୍ୟୁଟେସନାଲ ଆଣ୍ଡ ଇଣ୍ଟିଗ୍ରେଟିଭ ସାଇନସର ୨ଟିରୁ ଗୋଟିଏ ପଦରେ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ସେହିପରି ସ୍କୁଲ ଅଫ କମ୍ପ୍ୟୁଟର ଆଣ୍ଡ ସିଷ୍ଟମ ସାଇନ୍ସର ୩ରୁ ୨ଟି ସିଟ୍, ସ୍କୁଲ ଅଫ ଇଞ୍ଜିନିୟରିଂର ସମସ୍ତ ୪ଟି ସିଟ୍, ସ୍ପେଶାଲ ସେଣ୍ଟର ଫର ନାନୋ ସାଇନସର ଗୋଟିଏ, ସ୍କୁଲ ଅଫ ସଂସ୍କୃତ ଆଣ୍ଡ ଇଣ୍ଡିକ୍ ଷ୍ଟଡିଜ୍ ର ୩ଟି ଜାକ ସିଟ୍, ଅମଲଗମେଟେଡ ସେଣ୍ଟରର ୨ଟି ଜାକ ସିଟ୍, ସ୍କୁଲ ଅଫ ଏନଭାରନମେଣ୍ଟ ସାଇନ୍ସ ର ୨ଟିରୁ ଗୋଟିଏ ସିଟ୍, ଅଟଳବିହାରୀ ବାଜପେୟୀ ସ୍କୁଲ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଏଣ୍ଟପ୍ରେନ୍ୟୋରସିପ୍ ର ଗୋଟିଏ ସିଟ୍ ଓ ସ୍କୁଲ ଅଫ ଫିଜିକାଲ ସାଇନ୍ସର ୩ଟିରୁ ୨ଟି ସିଟ୍ ରେ ବିଦ୍ୟାର୍ଥୀ ପରିଷଦ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ବିଦ୍ୟାର୍ଥୀ ପରିଷଦ ଅନୁସାରେ ଏହି ନିର୍ବାଚନରେ ସେମାନଙ୍କୁ ୨ଟି ଐତିହାସିକ ସଫଳତା ମିଳିଛି। ଏଥିରୁ ପ୍ରଥମ ସଫଳତା ସ୍କୁଲ ଅଫ ସୋସିଆଲ ସାଇନ୍ସରୁ ମିଳିଥିବା ବେଳେ ଦ୍ୱିତୀୟ ସଫଳତା ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜରେ ମିଳିଛି। ଏହି ଦୁଇଟିଜାକ ସ୍କୁଲ ବାମପନ୍ଥୀ ଗଡ଼ ଭାବେ ଜଣା ଯାଆନ୍ତି। ତେବେ ୨୫ ବର୍ଷରେ ପ୍ରଥମ ଥର ଏଠାରେ ଏବିଭିପି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏଠାରେ ଛାତ୍ର ରାଜନୀତିର ଏବେ ନୂଆ ଧାରା ପ୍ରଚଳିତ ହେବ ବୋଲି କୁହାଯାଉଛି।