ଶେଖ ହସିନାଙ୍କୁ ନେଇ ବିବାଦ, ବାଂଲାଦେଶକୁ କଡ଼ା ଜବାବ ଦେଲା ଭାରତ

NEWS7
aap-leaders-are-receiving-threats-to-break-alliance-with-congress

ନୂଆଦିଲ୍ଲୀ ୧୪।୧୨: ଭାରତ-ବାଂଲାଦେଶ ସମ୍ପର୍କ ପୁଣି ବିଗିଡିଛି। ବାଂଲାଦେଶ ଅନ୍ତରୀଣ ସରକାର ରବିବାର ଢାକାସ୍ଥିତ ଭାରତୀୟ ହାଇକମିଶନ ପ୍ରଣୟ ବର୍ମାଙ୍କୁ ତଲବ କରିଥିଲେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରୁ ଜାରି କରିଥିବା ବୟାନକୁ ନେଇ ବିରୋଧ କରିଥିଲେ। ଅନ୍ତରୀଣ ସରକାର ଅଭିଯୋଗ କରିଛନ୍ତି ଯେ ଶେଖ ହସିନା ଭାରତରୁ ତାଙ୍କ ସମର୍ଥକଙ୍କୁ ବାଂଲାଦେଶରେ ହିଂସାକାଣ୍ଡ ଲାଗି ଉସକାଉଛନ୍ତି। ଏହି ସାକ୍ଷାତ ଆଲୋଚନାରେ ବାଂଲାଦେଶ ଅନ୍ତରୀଣ ସରକାର ଶେଖ ହସିନା ଓ ଗୃହମନ୍ତ୍ରୀ ଅସଦୁଜମ୍ମାନ ଖାନ କମାଲଙ୍କ ପ୍ରତ୍ୟାର୍ପଣ ଦାବି କରିଛନ୍ତି।

ବାଂଲାଦେଶ ମହମଦ ୟୁନୁସ ସରକାର ଭାରତରେ ଥିବା ଆବାମୀ ଲିଗର ପଳାତକ ସଦସ୍ୟ ବାଂଲାଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗ କରିଛନ୍ତି। ତେବେ ଭାରତର ବୈଦେଶିକ ମନ୍ତ୍ରାଳୟ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ଅଭିଯୋଗ ଜବାବ ଦେଇଛି। ୟୁନୁସ ସରକାରଙ୍କ ଅଭିଯୋଗକୁ ଭାରତର ବୈଦେଶିକ ମନ୍ତ୍ରାଳୟ ଖାରଜ କରିଦେଇଥିବା ବେଳେ ଭାରତ କେବେବି ବାଂଲାଦେଶ ବିରୋଧରେ ନିଜ ମାଟିକୁ ଉପଯୋଗ କରି ନାହିଁ ଏବଂ ବାଂଲାଦେଶରେ ଶାନ୍ତିପୂର୍ଣ୍ଣ, ନିରପେକ୍ଷ ତଥା ସମାବେଶୀ ନିର୍ବାଚନର ସମର୍ଥନ କରୁଥିବା କହିଛି।

ତେବେ ବାଂଲାଦେଶ ଅନ୍ତରୀଣ ଆଇନ ଶୃଙ୍ଖଳା ଦେଶର ସରକାରଙ୍କ ଉପରେ ନ୍ୟସ୍ତ। ଏଣୁ ଆଇନ ଶୃଙ୍ଖଳା ସୁସଂହତ ରଖିବା ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ବାଂଲାଦେଶ ଅନ୍ତରୀଣ ସରକାର ନିଜେ ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ବୈଦେଶିକ ମନ୍ତ୍ରାଳୟ ସଫାସଫା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶ ନିର୍ବାଚନ ଘୋଷଣା ପରଠାରୁ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ସେହିପରି ଶନିବାର ବାଂଲାଦେଶ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଥିବାର ଅଭିଯୋଗ ହୋଇଛି।