ଚନ୍ଦ୍ର ପାଇଁ ମାଡି ଆସୁଛି ବିପଦ ! ଦ୍ରୁତଗତିରେ ମାଡ ହେବ ୨୦୦ ଫୁଟର ଗ୍ରହାଣୁ । ପୃଥିବୀ ଉପରେ ପଡିବ କି ପ୍ରଭାବ ?

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ ୩୧।୦୭:  ପୃଥିବୀ ପାଇଁ ଆସୁଛି କି ବିପଦ ?  ଚିହ୍ନଟ ହେଲାଣି ନୂଆ ଗ୍ରହାଣୁ । ୨୦୩୨ରେ ହୋଇପାରେ ମା଼ଡ । ଖାସ୍‌ କରି ଏହାର ଆକାର ବଢାଇଛି ଭୟ । ଯାହା ପ୍ରାୟ ୨୨୦ ଫୁଟ ହେବା ନେଇ  କରାଯାଇଛି ଆକଳନ । ଏହି ନୂଆ ଗ୍ରହାଣୁର ଚିହ୍ନଟ କରିଛନ୍ତି ନାସା ବୈଜ୍ଞାନିକ । ଗ୍ରହାଣୁ ଚନ୍ଦ୍ର ପାଇଁ ପାଲଟିପାରେ ବିପଦ । ଏହା ୨୦୩୨ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଆଘାତ କରିପାରେ । 

ଏହାର ଆକାର ୧୭୫ ରୁ ୨୨୦ ଫୁଟ ମଧ୍ୟରେ ହେବ ।  ଯାହା ଏକ ୧୫ ମହଲା ବିଶିଷ୍ଟ କୋଠା ସହିତ ସମାନ । ଏହା ଘଣ୍ଟାପ୍ରତି ପ୍ରାୟ ୪୭ ହଜାର ମାଇଲ ବେଗରେ ଗତି କରୁଛି । ଏହାର ଚିତ୍ର ୨୬ ମାର୍ଚ୍ଚ ୨୦୨୫ରେ ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ଦ୍ୱାରା ନିଆଯାଇଥିଲା । ଯେଉଁଥିରେ ଏହାର ପୃଷ୍ଠରେ ପଥର ଦୃଶ୍ୟମାନ ହେଉଛି। ନାସା ଆକଳନ କରିଛି ଯେ ଏହା ପୃଥିବୀରେ ଆଘାତ କରିବନି । 

ପୃଥିବୀରେ ଧକ୍କା ହେବାର ସମ୍ଭାବନା କେବଳ ୪% ରହିଛି । କିନ୍ତୁ ଯଦି ଏହା ଚନ୍ଦ୍ରକୁ ଆଘାତ କରେ, ତେବେ ଚନ୍ଦ୍ରରେ ଅଧ ମାଇଲରୁ ବଡ଼ ଏକ ଗର୍ତ୍ତ ସୃଷ୍ଟି କରିପାରିବ । ଏହା ଗତ ୫ ହଜାର ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରମାଣିତ ହୋଇପାରେ । ଏହି ଗ୍ରହାଣୁକୁ ପ୍ରାରମ୍ଭରେ ପୃଥିବୀ ପାଇଁ ବିପଦ ବୋଲି ବିବେଚନା କରାଯାଇଥିଲା ।  ଏହାକୁ ଟୋରିନୋ ଇମ୍ପାକ୍ଟ ବିପଦ ସ୍କେଲରେ ସର୍ବୋଚ୍ଚ ରେଟିଂ ଦିଆଯାଇଥିଲା। 

କିନ୍ତୁ ଫେବୃଆରୀ ୨୦୨୫ରେ ନୂତନ କକ୍ଷପଥ ଗଣନା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ପୃଥିବୀ ସୁରକ୍ଷିତ ରହିଛି, କିନ୍ତୁ ବିପଦରେ ଅଛି ଚନ୍ଦ୍ର । ଚନ୍ଦ୍ର ସହିତ ଧକ୍କା ହେଲେ ପୃଥିବୀରେ ଜୀବନ ପ୍ରତି ସିଧାସଳଖ ବିପଦ ଆସିବନି ।  କିନ୍ତୁ ପରିଣାମ ଏବେ ବି ଗମ୍ଭୀର ହୋଇପାରେ । ପଶ୍ଚିମ ଓଣ୍ଟାରିଓ ଏବଂ କାନାଡାର ଆଥାବାସ୍କା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଅଧ୍ୟୟନ ଅନୁସାରେ, ଏହି ଧକ୍କା ଚନ୍ଦ୍ରରେ ଏକ କିଲୋମିଟର ଚଉଡା ଗର୍ତ୍ତ ସୃଷ୍ଟି କରିପାରେ । 

ଏହାବ୍ୟତୀତ ମହାକାଶରେ ବିପୁଳ ପରିମାଣର ପଥରୀୟ ଅଳିଆ ବ୍ୟାପିପାରେ । ଏହା ୧୦ ହଜାରରୁ ଅଧିକ ସକ୍ରିୟ ଉପଗ୍ରହ ଏବଂ ୨୫ହଜାରରୁ ଅଧିକ ଟ୍ରାକ୍ ହୋଇଥିବା ମହାକାଶ ଅଳିଆ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ । ସୂକ୍ଷ୍ମ ଖଣ୍ଡଗୁଡ଼ିକର ଧକ୍କା ଉପଗ୍ରହର ଯୋଗାଯୋଗ, ନାଭିଗେସନ୍ ଏବଂ ତଥ୍ୟ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଣାଳୀକୁ ପ୍ରଭାବିତ କରିପାରେ ।

ଏହାବ୍ୟତୀତ ଭଗ୍ନାବଶେଷ ଗୁଡିକ ଚନ୍ଦ୍ରରେ ଥିବା ଉପଗ୍ରହ କିମ୍ବା ମହାକାଶଚାରୀମାନଙ୍କୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଗୁଳିଠାରୁ ଦ୍ରୁତ ଗତିରେ ଯାତ୍ରା କରୁଥିବା ସୂକ୍ଷ୍ମ ଚନ୍ଦ୍ର ଧୂଳି କିଛି ଦିନ କିମ୍ବା ମାସ ମଧ୍ୟରେ ପୃଥିବୀରେ ପହଞ୍ଚିପାରେ ଏବଂ ଉଜ୍ଜ୍ୱଳ ଉଲକାପାତର ବର୍ଷା ଆରମ୍ଭ କରିପାରେ। ତେବେ ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଘଟଣା ଦେଖିବାକୁ ଆକର୍ଷଣୀୟ ହେବ । କିନ୍ତୁ ଏହା ପୃଥିବୀକୁ କୌଣସି ଗମ୍ଭୀର କ୍ଷତି କରିବ ନାହିଁ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.