LIVE TV

ଅଶାନ୍ତ କଟକ, ୩୬ ଘଣ୍ଟା ପାଇଁ ସହରରେ ଲାଗିଲା କର୍ଫ୍ୟୁ

NEWS7
Cuttack Curfew

କଟକ: ମା ଦୁର୍ଗାଙ୍କ ଭସାଣି ସମୟରେ ଶୁକ୍ରବାର କଟକ ସହରରେ ଘଟିଥିବା ଗଣ୍ଡଗୋଳକୁ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସୁଧୁରି ନାହିଁ। ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ବନ୍ଦ ଡାକରାକୁ ସମର୍ଥନ କରି ରବିବାର ଅନେକ ସଂଗଠନ ପକ୍ଷରୁ ରାଲି ବେଳେ ଉପୁଜିଥିବା ଉତ୍ତେଜନା କାରଣରୁ କଟକରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ପାଇଁ କଟକଣା ଲଗାଯାଇଛି। ଏବେ ସ୍ଥିତିକୁ ଦୃଷ୍ଟିରେ ରଖି କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ଏନେଇ ରବିବାର ରାତିରେ ଘୋଷଣା କରିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ।

ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଆଜି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି। ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ବାଦାମବାଡ଼ି, ଜଗତଗପୁର, ବୟାଳିଶି ମୌଜା, ସଦର ଥାନା ଆଦି ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି। ସରକାରୀ ଅଫିସ୍ ଖୋଲା ରହିବ, ଜରୁରୀ ସେବା ଓ ସ୍କୁଲକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି। ସିପି କହିଛନ୍ତି ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନି। ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଉପଦ୍ରବ କଲା ମାତ୍ରେ ବଳ ପ୍ରୟୋଗ କରାଯିବ। ଆଜିର ଗଣ୍ଡଗୋଳରେ ମୋଟ୍ ୨୫ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ​​​​​​​

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିସମସ୍ତଙ୍କୁ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। କଟକରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ତିନୋଟି ସ୍ପେଶାଲ୍ ଟିମ୍ ଗଠନ କରିଛି। ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ମା ଦୁର୍ଗାଙ୍କ ଭସାଣି ସମୟରେ ଶୁକ୍ରବାର କଟକ ସହରରେ ଘଟିଥିବା ଗଣ୍ଡଗୋଳକୁ ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସୁଧୁରି ନାହିଁ। ଏବେ ବି ସହରର ଅନେକ ସ୍ଥାନରେ ସ୍ଥିତି ଉତ୍ତେଜନାମୂଳକ ରହିଛି। ଆଜି କଟକରେ ଆୟୋଜିତ ରାଲି ବେଳେ ପୁଣି ଉତ୍ତେଜନା ଦେଖା ଦେଇଛି। ସୋମବାର ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ଦିଆଯାଇଥିବା ବନ୍ଦ ଡକରାକୁ ସମର୍ଥନ କରି ଅନେକ ସଂଗଠନ ରବିବାର ରାଲି ବାହାର କରିଥିଲେ। ରାଲି ପାଇଁ ପୋଲିସ ଅନୁମତି ନ ଥିବାରୁ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଦରଘା ବଜାରରେ ଉତ୍ତେଜନା ରୋକିବା ପାଇଁ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଛି। ସମ୍ବେଦନଶୀଳ ଅଞ୍ଚଳରେ ଧାରା ୧୬୩ ଜାରି ହୋଇଛି। ଅର୍ଦ୍ଧ ସାମରିକ ବାହିନୀ ସହ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ମୁତୟନ କରାଯାଇଛି।

ସହରରେ ଭିଡ଼ ନ କରିବାକୁ ପୋଲିସ ଅପିଲ୍ କରିଛି। ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ ଡିସିପିଙ୍କ ସହ ୨୫ ପୋଲିସ କର୍ମୀ ଆହତ ହୋଇଛନ୍ତି।ଗଣମାଧ୍ୟମର କିଛି ପ୍ରତିନିଧି ମଧ୍ୟ ଆହତ ହୋଇଥିବା ଜଣା ପଡ଼ିଛି। କଟକରେ ମା'ଙ୍କ ଭସାଣି ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣାକୁ ନେଇ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଥିଲା ବିଶ୍ବ ହିନ୍ଦୁ ପରିଷଦ।

ବନ୍ଦ ଡାକରା ପ୍ରତି ସମର୍ଥନ ଯୋଗାଡ କରିବାକୁ ଆଜି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ସହରରେ ବାଇକ ରାଲି କରାଯାଇଛି। ଏଥିରେ ବହୁସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ତେବେ ରାଲି ପାଇଁ ଅନୁମତି ନ ଥିବାରୁ ଦରଘା ବଜାରରେ ରାଲିକୁ ଅଟକାଇଥିଲା ପୋଲିସ। ଫଳରେ ଏଠାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି। ​​​​​​​