ସୋର: ଦୁର୍ବୁତ୍ତ ଆତଙ୍କରାଜ। ବାଇକରେ ଆସି ହାଣିଦେଲେ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କୁ। ଏଥିରେ ଡାକ୍ତର ଜଣକ ଗୁରୁତର ଆହତ ହୋଇଥିବାବେଳେ, ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ପୌରପାଳିକା କଲେଜ ରୋଡ ନିକଟରେ।

ସୂଚନା ଅନୁଯାୟୀ, ଶିଶୁ ବିଶେଷଜ୍ଞ ଡ଼ ବ୍ରଜ କିଶୋର ସ୍ୱାଇଁଙ୍କର ସୋର ପୌରପାଳିକା କଲେଜ ରୋଡଠାରେ ଏକ କ୍ଲିନିକ୍‌ ରହିଛି। ଆଉ ବୁଧବାର କ୍ଲିନିକ୍ ବନ୍ଦ କରି ଘରକୁ ଫେରିବାବେଳେ ହଠାତ୍ ଏକ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ଡାକ୍ତରଙ୍କ ବେକକୁ ହାଣି ସଙ୍ଗେ ସଙ୍ଗେ ସେଠାରୁ ଫେରାର ମାରିଥିଲେ। ଏଥିରେ ଗୁରୁତର ହୋଇପଡ଼ିଥିଲେ ଡାକ୍ତର।

ତେବେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସ୍ବାଇଁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ କାହିଁକି ଦୁର୍ବୃତ୍ତମାନେ ଡାକ୍ତରଙ୍କୁ ଆକ୍ରମଣ କଲେ ତାହା ଜଣାପଡ଼ିନଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଦୁଇଟି ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି।