ଭୁବନେଶ୍ବର: ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ନିକଟ ଖେଳ ପଡ଼ିଆରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନଥିବାବେଳେ ମଞ୍ଚେଶ୍ୱର ଥାନା ପୋଲିସ ଶବ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି। 
ସୂଚନା ଅନୁସାରେ, ରବିବାର ଅପରାହ୍ନରେ ଖେଳ ପଡ଼ିଆରେ ମୃତଦେହ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକେ ପଡ଼ିଆ ସୁପରଭାଇଜରଙ୍କୁ ଖବର ଦେଇଥିଲେ । ଏହା ପରେ ସୁପରଭାଇଜର ପ୍ରଥମେ ୱାର୍କସପରେ ଥିବା ଆରପିଏଫ ଥାନାକୁ ଜଣାଇଥିଲେ। ଘଟଣାସ୍ଥଳରେ ଆରପିଏଫ ଅଧିକାରୀ ପହଞ୍ଚି ତନାଘନା କରିବାପରେ ମଞ୍ଚେଶ୍ୱର ଥାନାକୁ ଅବଗତ କରାଇଥିଲେ। ଆଉ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଟିଫିକ ଟିମ ଘଟନସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ଯୁବକଙ୍କ ପରିଚୟ ଜଣାପଡ଼ିନଥିବାବେଳେ ପୋଲିସ ଏବେ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଆରମ୍ଭ କରିଛି।