ଭୁବନେଶ୍ବର: ଜିଏସଟି ହ୍ରାସ ଘୋଷଣା ପରେ ଶସ୍ତା ହୋଇଛି କାର୍ ମୂଲ୍ୟ। ସେପ୍ଟେମ୍ବର ୨୨ରୁ ନୂଆ ଜିଏସଟି ହାର ଲାଗୁହେବାକୁ ଯାଉଥିବାବେଳେ ଅନେକ କାର୍ କମ୍ପାନିମାନେ ଏବେଠାରୁ ହିଁ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଲାଗିପଡ଼ିଲେଣି। ଅନେକ କମ୍ପାନି କାର୍‌ ମୂଲ୍ୟରେ ଲକ୍ଷ ଲକ୍ଷ ଟଙ୍କା କମାଇଛନ୍ତି।

ଏହିକ୍ରମରେ ଗ୍ରାହକଙ୍କ ପାଇଁ ଦେଶର ଅଗ୍ରଣୀ କାର୍ ନିର୍ମାତା କମ୍ପାନି ମହିନ୍ଦ୍ରା ଆଣିଛି ନୂଆ ସ୍କିମ୍। କମ୍ପାନି ଗ୍ରାହକଙ୍କ ପାଇଁ ଆଣିଛି ପ୍ରି ଜିଏସଟି କଞ୍ଜ୍ୟୁମର ସ୍କିମ୍। ଏହି ସ୍କିମ ଚଳିତ ମାସ ୨୧ ତାରିଖ ଯାଏ ଚାଲିବାକୁଥିବାବେଳେ ନୂଆ ମହିନ୍ଦ୍ରା ଗାଡ଼ି କିଣିବାକୁ ଚାହୁଁଥିବା ଗ୍ରାହକ ଏହି ସ୍କିମ୍‌ର  ଫାଇଦା ନେଇପାରିବେ ବୋଲି କଟକ ମହିନ୍ଦ୍ରା ଆଦିତ୍ୟ ମୋଟର୍ସ ପକ୍ଷରୁ କୁହାଯାଇଛି।

ଏହି ସ୍କିମ୍ ଦ୍ବାରା କମର୍ସିଆଲ ଗାଡ଼ି କିଣିବାକୁ ଆଗ୍ରହୀ ଥିବା ଗ୍ରାହକ ଗାଡ଼ି ପିଛା ସର୍ବାଧିକ ୧ ଲକ୍ଷ ୧୬ ହଜାର ଟଙ୍କା ଡିସ୍କାଉଣ୍ଟ ପାଇବେ। ସେହିପରି ପ୍ରାଇଭେଟ୍ ଗାଡ଼ିରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ଟଙ୍କା ଯାଏ ଡିସକାଉଣ୍ଟ ଅଫର ରହିଛି

ପୂର୍ବରୁ ପ୍ରିମିୟମ ଗାଡ଼ିରେ ଜିଏସଟି ବାବଦରେ ୨୮ ପ୍ରତିଶତ ଓ ସେସ ବାବଦକୁ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିବା ବେଳେ ଏବେ ଉଭୟ ମିଶି ୮ ପ୍ରତିଶତ ଡିସକାଉଣ୍ଟ ମିଳିବ ବୋଲି କୁହାଯାଇଛି। କମର୍ସିଆଲ Supro ପାଇଁ ୧ ଲକ୍ଷ ୧୬ ହଜାର ଟଙ୍କା ଡିସକାଉଣ୍ଟ ପାଇବେ। ସେହିପରି Xuv700 ଡିଜେଲ ଓ ପେଟ୍ରୋଲ ଭାରିଆଣ୍ଟ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କାର ଅଫର୍ ରହିଛି।

ଏହାବାଦ୍ ଅନ୍ୟ ଗାଡ଼ିରେ ବି ଡିସକାଉଣ୍ଟ ଦେଉଛି ମହିନ୍ଦ୍ରା। ଅଫର୍ ଯୋଗୁ କଟକ ମହିନ୍ଦ୍ରା ଆଦିତ୍ୟ ମୋଟରସ ଚଳିତ ମାସ ସାଢ଼େ ୫ ଶ ଗାଡ଼ି ବିକ୍ରି ଲକ୍ଷ୍ୟ ରହିଥିବା କହିଛନ୍ତି କଟକ ମହିନ୍ଦ୍ରା ଆଦିତ୍ୟ ମୋଟର୍ସ ଭାଇସ୍ ପ୍ରେସିଡେଣ୍ଟ ମନୋଜ ରଥ।