କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନା ବିଷୟରେ ଅଜ୍ଞ ରାଜ୍ୟର ୯୫% ଲୋକ: ରାଜ୍ୟପାଳ

Published By : Prameya-News7 Bureau | June 23, 2025 IST

ଭୁବନେଶ୍ବର: ରାଜ୍ୟର କୋଟି କୋଟି ଲୋକ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ସାଧାରଣ ଅବଗତ ନାହାଁନ୍ତି।ଖାଲି ସାଧାରଣ ଲୋକ ନୁହଁନ୍ତି ଅନେକ ସରକାରୀ ଅଧିକାରୀ ମଧ୍ୟ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନା ବିଷୟରେ ଜାଣିନାହାଁନ୍ତି। ସୋମବାର ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜ୍ୟର ଏଭଳି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାକୁ କମ୍ଭମପାଟୀ।

କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଅନେକ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଓଡ଼ିଶାର ପ୍ରାୟ ୯୫% ଲୋକ ଏପର୍ଯ୍ୟନ୍ତ ଅଜ୍ଞ। ଏହି ଯୋଜନାଗୁଡ଼ିକ ମଧ୍ୟରୁ ବିଶେଷକରି ବୀମା, ପେନସନ ଏବଂ ଆର୍ଥିକ ସୁରକ୍ଷା ସହିତ ଜଡ଼ିତ। ଯେଉଁଥିରେ ସ୍ବଳ୍ପ ଅର୍ଥ ଖର୍ଚ୍ଚ କରି ସାମାଜିକ ସୁରକ୍ଷାର ଲାଭ ନେଇହେବ ବୋଲି ରାଜ୍ୟପାଳ କହିଛନ୍ତି। କିନ୍ତୁ ସେମାନେ ଏବିଷୟରେ ଜାଣିନାହାଁନ୍ତି। ବିଭିନ୍ନ ଜିଲ୍ଲାରେ ହୋଇଥିବା ସମୀକ୍ଷା ବୈଠକରେ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନା ବିଷୟରେ ପଚରାଯିବା ସମୟରେ ଅଧିକାଂଶ ଅଧିକାରୀ ମଧ୍ୟ ଉତ୍ତର ଦେଇପାରିନାହାଁନ୍ତି। ଏଥିରୁ ଜଣାପଡ଼ୁଛି  ଦୁର୍ବଳ ସଚେତନତା ଏବଂ ପ୍ରଚାର ଯୋଗୁ, ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି।

ରାଜ୍ୟପାଳ ଆହୁରି କହିଛନ୍ତି ବର୍ତ୍ତମାନ ସାଇବର ସିକ୍ୟୁରିଟି ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ସେଥିପ୍ରତି ସଚେତନ ରହିବାକୁ ରାଜ୍ୟପାଳ ଲୋକଙ୍କୁ ଅବଗତ କରିଥିଲେ। ଏହା ଛଡ଼ା ନିଶାରେ ପଡ଼ି ପଥଭ୍ରଷ୍ଟ ହେଉଥିବା ଯୁବକ ସମାଜକୁ କିଭଳି ନିଶାମୁକ୍ତ କରାଯିବ, ସୁସ୍ଥ ସମାଜ ଗଠନ କରାଯିବ, ତା’ ଉପରେ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟପାଳ। କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାକୁ କମ୍ଭମପାଟୀଙ୍କ ସହିତ ଏଡିଜି ବିଜୟତୋଷ ମିଶ୍ର, ଡିଆଇଜି ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.