ବିଜାପୁର ୭।୬: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଜାରି ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବଳ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଫଳରେ ୭ ଜଣ ନକ୍ସଲ ପ୍ରାଣ ହରାଇଥିବାର ଖବର ଆସୁଛି। ନିହତ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ଥିବା ଜଣାପଡିଛି। ପୋଲିସ ଅଧିକାରୀଙ୍କ ଅନୁସାରେ ଏହି ଅଭିଯାନରେ ଛତିଶଗଡ଼ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ସମେତ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି), ସିଆରପିଏଫ ଓ କୋବ୍ରା ବଟାଲିୟନ ଅଂଶଗ୍ରହଣ କରିଛନ୍ତି।
ଏହି ଅଭିଯାନ ଇନ୍ଦ୍ରାବତୀ ଜାତୀୟ ଉଦ୍ୟନ କ୍ଷେତ୍ରରେ ଚଳାଯାଇଥିବା ବେଳେ ଏହା ଜୁନ ୪ ରେ ଆରମ୍ଭ ହୋଇଥିଲା। ଜୁନ ୫ ତାରିଖ ଦିନ ଅଭିଯାନକୁ ପ୍ରଥମ ସଫଳତା ସେତେବେଳେ ମିଳିଥିଲା ଯେତେବେଳେ କୁଖ୍ୟାତ ମାଓବାଦୀ ନେତା ସୁଧାକର ଓରଫ ଗୌତମର ଶବ ମିଳିଳା। ସୁଧାକର ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହିପରି ଜୁନ ୬ ତାରିଖ ଦିନ ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟ ଭାଷ୍କରର ଶବ ଜବତ ହୋଇଥିଲା। ସୁଧାକର ଭଳି ଭାଷ୍କର ଉପରେ ମଧ୍ୟ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା।
୬ଓ ୭ ଜୁନ ରାତିରେ ହୋଇଥିବା ଏନକାଉଣ୍ଟରରେ ଆଉ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ୭ ଜୁନ ଶନିବାର ଆଉ ୨ ଜଣ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଗତକାଲି ରାତି ଓ ଆଜି କାର୍ଯ୍ୟାନୁଷ୍ଠାନରେ ନିହତ ନକ୍ସଲଙ୍କ ଚିହ୍ନଟ ନିମନ୍ତେ ଉଦ୍ୟମ ଜାରି ରହିଛି। କାର୍ଯ୍ୟାନୁଷ୍ଠାନ କାଳରେ ସୁରକ୍ଷାବଳ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛନ୍ତି। ଜବତ ଅସ୍ତ୍ରଶସ୍ତ୍ରରେ ଏକେ-୪୭ ରାଇଫଲ ମଧ୍ୟ ରହିଛି।
ନକ୍ସଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାଳରେ ସୁରକ୍ଷା ବଳ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସାପ କାମୁଡ଼ା ଓ ମହୁମାଛି ଆକ୍ରମଣରେ କିଛି ଜବାନ ଆହତ ହୋଇଛନ୍ତି। ଆହତ ଓ ଅସୁସ୍ଥ ଜବାନମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏହା ପୂର୍ବରୁ ମେ ୨୧ ତାରିଖରେ ନାରାୟଣପୁର ଓ ବିଜାପୁର ସୀମାରେ ସୁରକ୍ଷାବଳଙ୍କ କାର୍ଯ୍ୟାନୁଷ୍ଠାନରେ ମାଓବାଦୀଙ୍କ ସାଧାରଣ ସମ୍ପାଦକ ନମ୍ବାଲା କେଶବ ରାଓ ଓରଫ ବାସବରାଜୁ (୭୦) ପ୍ରାଣ ହରାଇଥିଲେ।