LIVE TV

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶରେ ଇତିହାସ ରଚିଲେ ଭାରତ ବଂଶୀୟ ମୁସଲମାନ ମହିଳା, ଟ୍ରମ୍ପଙ୍କୁ ଝଟକା

NEWS7
6year-son-played-online-game-and-12lakh-rupees-racks-up-from-moms-credit-card

ଭର୍ଜିନିୟା ୫।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କେବଳ ନ୍ୟୁୟର୍କରେ ଭାରତବଂଶୀୟ ଜୋହରାନ ମମଦାନୀଙ୍କ ବିଜୟର ଝଟକା ଲାଗିନି, ବରଂ ଆଉ ଜଣେ ମୂଳ ଭାରତୀୟ ମହିଳା ନେତା  ତାଙ୍କୁ ବଡ଼ ରାଜନୈତିକ ଝଟକା ଦେଇଛନ୍ତି। ଏହି ଖବର ଆସିଛି ଭର୍ଜିନିୟାରୁ, ଏଠାରେ ଡେମୋକ୍ରାଟିକ୍ ପାର୍ଟିର ଗଜାଲା ହାସମୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିର୍ବାଚନ ଜିତି ଯାଇଛନ୍ତି। ହାସମୀ ରିପବ୍ଲିକାନ ପ୍ରାର୍ଥୀ ଜନ ରିଡଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱୀତାରେ ହରାଇ ଇତିହାସ ରଚିଛନ୍ତି।

ଗଜାଲା ହାସମୀଙ୍କୁ ମୋଟ ୫୨.୪% ଭୋଟ ମିଳିଛି। ଏଣୁ ଆମେରିକାରେ ଭାରତୀୟ ମୁଳ ମୁସଲମାନ ମହିଳା ବିଜୟ ଧ୍ୱଜା ଉଡାଇଛନ୍ତି। ହାସମୀ ଏହି  ପଦବୀ ନିମନ୍ତେ ନିର୍ବାଚନ ଜିତିବାରେ ପ୍ରଥମ ମହିଳା। ତାଙ୍କର ଏହି ବିଜୟ ଆମେରିକା ଗଣତାନ୍ତ୍ରିକ ରାଜନୀତିରେ ନା କେବଳ ନୂଆ ଅଧ୍ୟାୟ ଆରମ୍ଭ କରିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ରାଜନୈତିକ ଝଟକା ମଧ୍ୟ  ଦେଇଛି। ପ୍ରଥମରୁ ନ୍ୟୁୟର୍କରେ ଜୋହରାନ ମମଦାନୀଙ୍କ ବିଜୟ ପାଇଁ ଚର୍ଚ୍ଚାରେ ଥିବା ଟ୍ରମ୍ପ ଏବେ ହାଇଦ୍ରାବାଦ ସହ ସମ୍ପର୍କିତ ଗଜାଲା ହାସମୀଙ୍କ ବିଜୟ ଡେମୋକ୍ରାଟଙ୍କ ଆତ୍ମବିଶ୍ୱାସକୁ ମଜଭୁତ କରିଛି।

ତେବେ ଆମେରିକା ରାଜନୀତିରେ ଗଜାଲା ନୂଆ ନୁହନ୍ତି। ସେ ୨୦୧୯ରେ ଭର୍ଜିନିୟା ସିନେଟ ନିର୍ବାଚନରେ ବିଜୟୀ ହୋଇ ମୁସଲମାନ ଓ ଭାରତବଂଶୀ ମହିଳା ସିନେଟର ହେବାର ଗୌରବ ହାସଲ କରିଥିଲେ। ସେ ସମୟରେ ସେ ତାଙ୍କ ନିର୍ବାଚନ ପ୍ରଚାର ଅଭିଯାନରେ ଟ୍ରମ୍ପ ପ୍ରଶାସନର ‘ମୁସ୍ଲିମ ବ୍ୟାନ୍’କୁ ଆଗକୁ ଆସି ବିରୋଧ କରିଥିଲେ ଓ ଏହା ତାଙ୍କ ନିର୍ବାଚନରେ ପ୍ରସଙ୍ଗ ପାଲଟିଯାଇଥିଲା। ସୂଚନା ଅନୁସାରେ ଗଜାଲା ହାସମୀଙ୍କ ଜନ୍ମ ୫ ଜୁଲାଇ ୧୯୬୪ରେ ଭାରତୀୟ ସହର ହାଇଦ୍ରାବାଦରେ ହୋଇଥିଲା। ସେ ଯେତେବେଳେ ୪ ବର୍ଷର ହୋଇଥିଲେ ତାଙ୍କ ପରିବାର ବସବାସ କରିବାକୁ ଆମେରିକା ଚାଲିଯାଇଥିଲା।

ସେତେବେଳେ ତାଙ୍କ ପିତା ଜର୍ଜିୟାରେ ଇଣ୍ଟରନ୍ୟାସନାଲ ରିଲେସନରେ ପିଏଚଡି କରୁଥିଲେ। ଗଜାଲା ସାଉଦର୍ଣ୍ଣ ୟୁନିଭର୍ସିଟିରେ ଶିକ୍ଷା ପ୍ରାପ୍ତ କରିଛନ୍ତି। ସେ ଅନର୍ସ ସହିତ ବିଏ ଡିଗ୍ରି ହାସଲ କରିଛନ୍ତି। ଏହା ପରେ ସେ ଏମୋରୀ ୟୁନିଭର୍ସିଟି, ଆଟାଲାଣ୍ଟାରୁ ପିଏଚଡି ହାସଲ କରିଛନ୍ତି। ଗଜାଲା ତାଙ୍କ ରାଜନୈତିକ କ୍ୟାରିୟରରେ ଶିକ୍ଷା, ମହିଳା ଅଧିକାର ଓ ଧାର୍ମିକ ସ୍ୱାଧୀନତା ଭଳି ପ୍ରସଙ୍ଗକୁ ଖୋଲାଖୋଲି ସମସ୍ତଙ୍କ ସମ୍ମୁଖରେ ରଖୁଥିଲେ ଓ ସ୍ୱର ଉତ୍ତୋଳନ କରୁଥିଲେ।

ଟ୍ରମ୍ପ ପ୍ରଶାସନର ଅନେକ ନୀତି ବିଶେଷ କରି ମୁସଲମାନ ସମୂଦାୟ ଓ ପ୍ରବାସୀ ସମ୍ପର୍କିତ ନୀତିକୁ କଡ଼ା ବିରୋଧ କରିଥିଲେ। ଏହି ନିର୍ବାଚନରେ ମଧ୍ୟ ସେ ସାମାଜିକ ସମାନତା ଓ ଶିକ୍ଷା ସୁଧାର ପ୍ରତିଶ୍ରୁତିର ପ୍ରଚାର ପ୍ରସାର କରିଥିଲେ। ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜନ ରିଡ ପ୍ୟାରେଣ୍ଟସ୍ ରାଇଟସ୍ ଓ ଟ୍ରାନ୍ସଜେଣ୍ଡର ଛାତ୍ରଙ୍କ ସମସ୍ୟା ପ୍ରସଙ୍ଗ କରିଥିଲେ। ହେଲେ ତାଙ୍କୁ ଔପଚାରିକ ରୂପେ ଟ୍ରମ୍ପଙ୍କ ସମର୍ଥନ ମିଳିପାରିନଥିଲା। ଗଜାଲା ହାସମୀଙ୍କ ଏହି ଐତିହାସିକ ବିଜୟରେ ଆମେରିକାରେ ବସବାସ କରୁଥିବା ଭାରତୀୟ-ଆମେରିକୀୟ ସମୂଦାୟରେ ଖୁସିର ଲହର ଖେଳି ଯାଇଛି।