ବିମାନ ଦୁର୍ଘଟଣାରେ ୫୦ ଜଣ ସ୍ଥାନୀୟ ଲୋକ ଆହତ, ଆସିଲା ଗୁଜରାଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବଙ୍କ ବୟାନ

Published By : Prameya-News7 Bureau | June 12, 2025 IST

ଅହମଦାବାଦ ୧୨।୬: ଏୟାର ଇଣ୍ଡିଆ ଡ୍ରିମଲାଇନର ବି-୭୮୭ ବିମାନ ଦୁର୍ଘଟଣା ନେଇ ଗୁଜରାଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଧନଞ୍ଜୟ ଦ୍ୱିବେଦୀ କ୍ଷୟକ୍ଷତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେଉଁସ୍ଥାନରେ ବିମାନ ଦୁର୍ଘଟଣା ଘଟିଛି ସେଠାରେ ଅହମଦାବାଦ ସିଭିଲ ହସ୍ପିଟାଲ ଷ୍ଟୁଡେଣ୍ଟ ହଷ୍ଟେଲ ସମେତ କର୍ମଚାରୀ କ୍ୱାର୍ଟର ଓ ଅନ୍ୟ ଆବାସିକ ଘରସବୁ ରହିଛି। ଏଣୁ ଦୁର୍ଘଟଣାରେ ଅଞ୍ଚଳ ବାସିନ୍ଦା ମଧ୍ୟ ହତାହତ ହୋଇଛନ୍ତି। 

ଏହି ଦୁର୍ଘଟଣାରେ ଆହତ ଅନୁନ୍ୟ ୫୦ ଜଣଙ୍କୁ ଅହମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ଯଥାସମ୍ଭବ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଆହତଙ୍କ ଅବସ୍ଥା ଗୁରୁତର ଥିଲେବି ସ୍ଥିର ରହିଥିବା ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଏହି ଦୁର୍ଘଟଣାରେ ଅଧିକାଂଶ ପୋଡି ହୋଇ ପ୍ରାଣ ହରାଇଛନ୍ତି। ଏଣୁ ମୃତକଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନଥିବାରୁ ବି.ଜେ. ମେଡିକାଲରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା କରାଯାଇଛି। 


ଏଣୁ ବିମାନ ଯାତ୍ରୀଙ୍କ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟ ବିଶେଷ କରି ସେମାନଙ୍କ ଅଭିଭାବକ ଓ ସନ୍ତାନସନ୍ତତିଙ୍କୁ ସେମାନଙ୍କ ନମୁନା ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ଯାହାଦ୍ୱାରା ମୃତକଙ୍କ ଚିହ୍ନଟ ସୁଗମ ଓ ଶୀଘ୍ର ହୋଇପାରିବ ବୋଲି ସେ କହିଛନ୍ତି। ଏଥିରେ ଯଦି ଯାତ୍ରୀ ଓ ଅନ୍ୟ ଆହତଙ୍କ ସମ୍ପର୍କୀୟ ଯେଉଁମାନଙ୍କୁ ସିଭିଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଯଦି ସୂଚନା ଚାହୁଁଥାନ୍ତି ସେଥି ପାଇଁ ଅହମଦାବାଦ ସିଭିଲ ହସ୍ପିଟାଲ ପକ୍ଷରୁ ଦୁଇଟି ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି। 


ଏହି ନମ୍ବର ଦୁଇଟି ହେଉଛି 6357 373831 ଓ 6357 373841। ଏହି ହେଲପଲାଇନ ନମ୍ବରରେ ୨୪ ଘଣ୍ଟିଆ ସୂଚନା ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହି ନମ୍ବରରେ ବିମାନଯାତ୍ରୀ ଅଥବା ସ୍ଥାନୀୟ ଅଞ୍ଚଳର ଆହତଙ୍କ ସମ୍ପର୍କରେ ସମସ୍ତ ସୂଚନା ଯୋଗାଇ ଦିଆଯିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.