କୂଳଡ଼ିହା ଅଭୟାରଣ୍ୟରେ ବନବିଭାଗର ଚଢାଉ, ୫ ଶିକାରୀ ଗିରଫ

Published By : Prameya-News7 Bureau | May 25, 2025 IST

ନୀଳଗିରି ୨୫।୦୫ : ଆକ୍ସନମୋଡ଼ରେ ବନବିଭାଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଶିକାରୀ ଗୁଳିରେ ଫରେଷ୍ଟଗାର୍ଡ ପ୍ରହ୍ଲାଦ ପ୍ରଧାନଙ୍କ ମୃତ୍ୟୁ ଘଟଣା ପରେ ବନବିଭାଗ ଆକ୍ସନ। ଢେଙ୍କାନାଳ ପରଜଙ୍ଗରେ ଥିବା ପ୍ରହ୍ଲାଦ ନୀଳଗିରିର କୂଳଡ଼ିହା ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ୍ ସୁବ୍ରତ ବେହେରାଙ୍କ ପାଖରେ ଫରେଷ୍ଟଗାର୍ଡ ଭାବେ କାମ କରୁଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ଏସିଏଫ୍ ଏବେ ଆକ୍ସନ ମୋଡ୍‌କୁ ଆସିଛନ୍ତି । 

ରବିବାର ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ଚେମଚଟା ବିଟ୍ ଅଞ୍ଚଳରେ ଆତର୍କିତ ଭାବେ ଚଢ଼ାଉ କରିଛି ବନବିଭାଗ । ଯେଉଁଥିରେ ଗୋଟିଏ ଦେଶୀ ବନ୍ଧୁକ,ମାରଣାସ୍ତ୍ର ଓ କୁଟୁରା ସିଙ୍ଗ ସହ ୫ଜଣ ଶିକାରୀକୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ।କୂଳଡ଼ିହା ଅଭୟାରଣ୍ୟ ଭିତରେ ଚେମଚଟା ବିଟ୍ ଅଧୀନ ଜଙ୍ଗଲରେ ଶିକାରୀମାନେ ଟ୍ରାପ୍ କ୍ୟାମେରା ଚୋରି ସମୟରେ ଅନ୍ୟ ଏକ ଗୁପ୍ତ କ୍ୟାମେରାରେ ତାଙ୍କର ମୁହଁ କଏଦ୍ ହୋଇଥିଲା। ଏନେଇ କୂଳଡ଼ିହା ବନବିଭାଗ ତାଙ୍କୁ ଚିହ୍ନଟ କରି ଗିରଫ କରିଛି ।

ଶନିବାର ରାତିରେ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ ଚଢ଼ାଉ କରିବା ପରେ ୫ଜଣ ଶିକାରୀଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ଗୁଳିଭର୍ତ୍ତି ଗୋଟିଏ ବନ୍ଧୁକ, ଧନୁତୀର, ତାରରେ ନିର୍ମିତ ଫାଶ ଓ ଗୋଟିଏ କୁଟାରୀ ଶିଙ୍ଗ ଜବତ କରିଛନ୍ତି । ଗିରଫ ଶିକାରୀ ମଧ୍ୟରୁ ୪ଜଣ ଔପଦା ଥାନା ଅଞ୍ଚଳର ଓ ଜଣେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ କୂଳଡ଼ିହାକୁ ଶିକାରୀ ମୁକ୍ତ କରିବା ନେଇ ପ୍ରୟାସ ଚାଲିଥିବା ଏସିଏଫ୍ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.