ବିଜେପି-କଂଗ୍ରେସର ବ୍ୟାଙ୍କ ବାଲାନ୍ସରେ ଅନ୍ତର କେତେ ? ରାଜ୍ୟସଭାରେ ଖୁଲାସା କଲେ ଅଜୟ ମାକନ

NEWS7
5-most-expensive-indian-players-sold-in-ipl

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ବ୍ୟାଙ୍କ ଖାତାରେ କେତେ ଟଙ୍କା ଅଛି ? ଏବଂ ଦୁଇ ବଡ଼ ଦଳ ପାଖରେ ଥିବା ସମ୍ବଳର ଅନ୍ତର କେତେ ? ଏନେଇ ବଡ଼ ଖୁଲାସା କରିଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ଅଜୟ ମାକନ । ଗୁରୁବାର ରାଜ୍ୟସଭାରେ ନିର୍ବାଚନୀ ସଂସ୍କାର ଉପରେ ଚର୍ଚ୍ଚା ଭିତରେ ବ୍ୟାଙ୍କ ବାଲାନ୍ସର ତଥ୍ୟ ଦେଇଛନ୍ତି କଂଗ୍ରେସ ନେତା । ବିଜେପି ଖାତାରେ କଂଗ୍ରେସ ତୁଳନାରେ ୭୫ ଗୁଣ ଅଧିକ ଅର୍ଥ ରହିଛି । ଦୁଇଟି ବଡ଼ ଦଳରେ ସମ୍ବଳର ଏତେ ବଡ଼ ଅସମାନତା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଗଣତନ୍ତ୍ର ପାଇଁ ତିନୋଟି ମୌଳିକ ସର୍ତ୍ତ, ସମାନ ସୁଯୋଗ, ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ଦାବି କରିଛନ୍ତି ଯେ, ଏନଡିଏ ସରକାର ଏହି ମାନଦଣ୍ଡଗୁଡ଼ିକୁ ପୂରଣ କରୁନାହିଁ। ସେ କଂଗ୍ରେସ ଦଳର କୋଷାଧ୍ୟକ୍ଷ ଥିବାରୁ ଗତ ଦୁଇରୁ ତିନି ବର୍ଷ ଧରି ଦଳୀୟ ହିସାବ, ଅର୍ଥାତ୍ ଆୟ ଏବଂ ଖର୍ଚ୍ଚ ବିବରଣୀ ପ୍ରଦାନ କରିଆସୁଛନ୍ତି। ସେ ନିର୍ବାଚନ କମିଶନଙ୍କ ୱେବସାଇଟରେ ଅନ୍ୟ ଦଳର ହିସାବ ମଧ୍ୟ ଯାଞ୍ଚ କରନ୍ତି ବୋଲି କହିଛନ୍ତି ।

ଅଜୟ ମାକନ କହିଛନ୍ତି, ୨୦୦୪ରେ ବିଜେପି ବ୍ୟାଙ୍କ ଖାତାରେ ୮୭.୯୬ କୋଟି ଥିଲା । ୨୦ ବର୍ଷ ମଧ୍ୟରେ ବିଜେପିର ବ୍ୟାଙ୍କ ବାଲାନ୍ସ ୧୦,୧୦୭.୨ କୋଟି ଟଙ୍କାରେ ପହଞ୍ଚିଛି । ଏହି ସମୟ ଅବଧି ମଧ୍ୟରେ କଂଗ୍ରେସର ବାଲାନ୍ସ ୩୮.୪୮ କୋଟିରୁ ବଢ଼ି ମାତ୍ର ୧୩୩.୯୭ କୋଟି ଟଙ୍କାରେ ପହଞ୍ଚିଛି । ସେ କହିଛନ୍ତି, ୨୦୦୪ରେ ବିଜେପି ଖାତାରେ ୮୭.୯୬ କୋଟି ଟଙ୍କା ଥିବା ବେଳେ କଂଗ୍ରେସ ପାଖରେ ଥିଲା ୩୮ କୋଟି । ୨୦୦୯ରେ କଂଗ୍ରେସ ପାଖରେ ୨୨୧ କୋଟି ଟଙ୍କା ଥିବା ବେଳେ ବିଜେପି ପାଖରେ ତାଠୁ କମ୍ ୧୫୦ କୋଟି ଟଙ୍କା ଥିଲା । ୨୦୧୯ ଆସୁ ଆସୁ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏହି ଗ୍ୟାପ ଅଧିକ ବଢ଼ିଥିଲା । ୨୦୧୯ରେ ବିଜେପି ପାଖରେ ୩,୫୬୨ କୋଟି ଟଙ୍କା ଥିବା ବେଳ କଂଗ୍ରେସ ଖାତାରେ ଥିଲା ୩୧୫ କୋଟି ଟଙ୍କା । କଂଗ୍ରେସ ଠାରୁ ବିଜେପିର ୧୧ ଗୁଣ ଅଧିକ ଅର୍ଥ ଥିଲା । ୨୦୨୪ରେ ବିଜେପି ଖାତାରେ ୧୦,୧୦୭.୨ କେଟି ଟଙ୍କା ଥିବା ବେଳେ କଂଗ୍ରେସ ଖାତାରେ ଥିଲା ୧୩୩.୯୭ କୋଟି ଟଙ୍କା । କଂଗ୍ରେସ ଠାରୁ ବିଜେପି ଖାତାରେ ୭୫ ଗୁଣ ଅଧିକ ଅର୍ଥ ରହିଛି ବୋଲି ମାକନ କହିଛନ୍ତି ।

ନିର୍ବାଚନ ସମୟରେ ବିଜେପି, କଂଗ୍ରେସ ପଛରେ ଇଡି ଲଗାଇ ଏହାର ଫଣ୍ଡ କମ୍ କରିବାକୁ ପ୍ରୟାସ କରୁଛି । କଂଗ୍ରେସକୁ ଦାନ କରିବାକୁ ଚାହୁଁଥିବା ବଡ଼ ବ୍ୟବସାୟୀ ଏବଂ ଶିଳ୍ପପତିଙ୍କୁ ତଦନ୍ତ ଏଜେନ୍ସି ଲଗାଇ ବିଜେପି ରୋକିଦେଉଛି ବୋଲି ଅଜୟ ମାକନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ମୁଁ ବହୁ ଶିଳ୍ପପତିଙ୍କ ସହ କଥା ହୋଇଛି । ସେମାନେ କଂଗ୍ରେସ ସରକାର ସମୟରେ ୬୦:୪୦ ଅନୁପାତରେ ଅର୍ଥ ଦେଉଥିଲେ । ଏବେ କଂଗ୍ରେସକୁ ୯୫:୫ ଅନୁପାତରେ ମଧ୍ୟ ଦାନ କରିବାକୁ ଭୟ କରୁଛନ୍ତି । ଯେତେବେଳେ ସେମାନେ ଏପରି କରିବେ, ଇଡି ଏବଂ ଆଇଟି ସେମାନଙ୍କ ପଛରେ ଆସିବ।’ ସେ ପ୍ରଶ୍ନ କରିଛନ୍ତି ଯେ, ଶାସକ ଦଳ ପାଖରେ ବିରୋଧୀ ଦଳ ତୁଳନାରେ ୭୫ ଗୁଣ ଅଧିକ ଟଙ୍କା ଥିବା ପରିସ୍ଥିତିରେ ଗଣତନ୍ତ୍ର କିପରି ବଞ୍ଚିପାରିବ।

ଅଜୟ ମାକନ ନିର୍ବାଚନ କମିଶନଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବିହାରରେ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ କିଭଳି ମହିଳା ରୋଜଗାର ଯୋଜନା ଲାଗୁ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଯଦି ଅମ୍ପାୟର କୌଣସି ଦଳର ଜର୍ସି ପିନ୍ଧିବେ, ତେବେ ଅନ୍ୟ ଦଳ କରିବେ କ’ଣ ? ଯଦି ଅମ୍ପାୟର ମ୍ୟାଚ୍ ଫିକ୍ସିଂ କରିବେ, ଖେଳାଳି କ’ଣ କରିବେ ? ସେପଟେ ଅଜୟ ମାକନଙ୍କ ଅଭିଯୋଗର ଜବାବ ଦେଇଛି ବିଜେପି । ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ସେମାନଙ୍କର ଅଭିଯୋଗର ସମାଧାନ ପାଇଁ ଉପଲବ୍ଧ ଉପାୟ ବ୍ୟବହାର କରିବା ପରିବର୍ତ୍ତେ ସେମାନେ (କଂଗ୍ରେସ)ହଙ୍ଗାମା କରୁଛନ୍ତି। ଯେତେବେଳେ ଏକ ଦଳ ଅନୁଭବ କରେ ଯେ, ଜଣେ ବ୍ୟାଟର ଆଉଟ୍ ହୋଇଛନ୍ତି, କିନ୍ତୁ ଅମ୍ପାୟର ତାହା ଘୋଷଣା କରିନାହାନ୍ତି, ତେବେ ସେମାନେ ରିଭ୍ୟୁ ନେଇପାରିବେ । ରିଭ୍ୟୁ ପାଇଁ ଥାର୍ଡ ଅମ୍ପାୟରଙ୍କ ପାଖକୁ ଯିବା ପରିବର୍ତ୍ତେ, କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଆସୁଛି । ଥାର୍ଡ ଅମ୍ପାୟର ନିଜକୁ ନଜେ ନିଷ୍ପତ୍ତି ଶୁଣାଇବା ଆଶାରେ କଂଗ୍ରେସ ରହିଛି ବୋଲି ସେ କହିଛନ୍ତି ।