ପାକିସ୍ତାନରେ ପୁଣି ଆତଙ୍କୀ ହମ୍‌ଲା: ୪ ଯବାନଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | February 02, 2025 IST

News7

ଇସଲାମବାଦ: ପାକିସ୍ତାନର ଖାଇବର ପାଖତୁନୱା ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀମାନେ ଖାଇବର ପାଖଣ୍ଟୱାଠାରେ ଏକ ପାରାମିଲିଟାରୀ ଫୋର୍ସ ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ୪ ଜଣ ସୈନିକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଦକ୍ଷିଣ ୱାଜିରିସ୍ତାନ ସୀମାବର୍ତ୍ତୀ ଡେରା ଇସମାଇଲ ଖାନ ଜିଲ୍ଲାରେ ଏହି ଘଟଣା ଘଟିଛି।

ପୋଲିସର ସୂଚନାନୁସାରେ, 'କରୀଜତ ଲେଭି' ନାମକ ପାରାମିଲିଟାରୀ ଫୋର୍ସ କର୍ମଚାରୀମାନେ ଏକ ଘରୋଇ ଡ୍ରାଇଭର ସହିତ ଜିଲ୍ଲାର ଡରବାନ୍ ତହସିଲରେ ଚୋରି ହୋଇଥିବା ଟ୍ରକକୁ ଉଦ୍ଧାର କରିବାକୁ ଯାଉଥିଲେ। ଏହି ଆକ୍ରମଣରେ ୪ଜଣ ଫୋର୍ସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ ପାକିସ୍ତାନର ଖାଇବର ପାଖଣ୍ଟଖୱା ଏବଂ ବଲୁଚିସ୍ତାନରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଏକ ବଡ଼ ଧରଣର ଆତଙ୍କବାଦ ବିରୋଧୀ ଅଭିଯାନ ଚାଲିଛି। ଶନିବାର ବଲୁଚିସ୍ତାନରେ ପୃଥକ ଅପରେସନରେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ୨୩ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। 

ଏହି ସମୟରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କହିଛନ୍ତି ଯେ ଯେଉଁମାନେ ଦେଶକୁ ଟାର୍ଗେଟ କରନ୍ତି ଏବଂ ବିଦେଶୀ ମାଷ୍ଟରଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ କରନ୍ତି, ସେମାନେ 'ବନ୍ଧୁଙ୍କ ନାମରେ ଶତ୍ରୁ' ଅଟନ୍ତି। ବଲୁଚିସ୍ତାନର କାଲାଟ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ୧୮ ଜଣ ସୈନିକଙ୍କ ମୃତ୍ୟୁ ପରେ ମୁନିର ଶନିବାର କ୍ୱେଟା ଗସ୍ତ କରିଥିଲେ। ଏହି ସଂଘର୍ଷରେ 23 ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.