ଜମ୍ମୁ-କାଶ୍ମୀର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହାଇ-ଆଲର୍ଟରେ ଜମ୍ମୁ-କାଶ୍ମର । ଭରତୀୟ ସେନା ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚଳାଇଛି । କାଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ସନ୍ଦିଗ୍ଧ ଥିବାନେଇ ସୂଚନା ମିଳିବା ପରେ ଅପରେସନ ଆହୁରି ଜୋରଦାର କରିଛି ସୁରକ୍ଷାବଳ ।
କାଠୁଆ ଜିଲ୍ଲାରେ ୪ଜଣ ସନ୍ଦିଗ୍ଧ ଦେଖାଯିବା ନେଇ ଜଣେ ମହିଳା ପୋଲିସକୁ ଖବର ଦେଇଥିଲେ । ଭାରତୀୟ ସେନାର ସ୍ପେଶାଲ ଅପରେସନ ଗ୍ରୁପ୍ ଓ ଜମ୍ମୁ-କାଶ୍ମୀର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ ଅପରେସନ ଚଳାଇଛି । ସନ୍ଦିଗ୍ଧଙ୍କୁ ତନତନ କରି ଖୋଜୁଛନ୍ତି ସେନା ଯବାନ । ଚେକିଂ ବ୍ଲକିଂ ମଧ୍ୟ ବଢ଼ାଇ ଦିଆଯାଇଛି । ସେପଟେ ମହିଳାଙ୍କ ସୂଚନା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ସୂଚନା ଅନୁଯାୟୀ, କାଠୁଆର ହିରାନଗର ଅନ୍ତରାଷ୍ଟ୍ରୀୟ ସୀମା ଠାରୁ ମାତ୍ର ଅଳ୍ପ ଦୂରରେ ରହିଛି । ପୂର୍ବରୁ ସନ୍ଦିଗ୍ଧ ମାନେ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାର ନଜରକୁ ଆସିଛି । ମହିଳାଙ୍କ ଖବର ଦେବା ପରେ ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି କି ସନ୍ଦିଗ୍ଧ ମାନେ ବଡ଼ ଷଡ଼ଯନ୍ତ୍ର ଯୋଜନାରେ ରହିଛନ୍ତି । ପୋଲିସ ଓ ଭାରତୀୟ ସେନାର ଯବାନମାନେ ଚତୁରତାର ସହ ସର୍ଚ୍ଚ ଅପରେସନ ଅଭିଯାନକୁ ଚଳାଇଛନ୍ତି । ଏନେଇ ଡ୍ରୋନ ଏବଂ ସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଉଛି ।
କରିମାବାଦ, ପୁଲଓ୍ବାମାରେ ସର୍ଚ୍ଚ ଅପରେସନ:
ପୁଲଓ୍ବାମାର କରିମାବାଦ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଭାରତୀୟ ସେନା ବିଭିନ୍ନ ସ୍ଥାନରେ ଆତଙ୍କୀଙ୍କୁ ଖୋଜାଖୋଜି କରୁଛି । ପୂର୍ବରୁ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ମଧ୍ୟ ଦେଖିବାକୁ ମିଳିଛି । ଏହି ସ୍ଥାନରେ ବାରମ୍ବାର ସୁରକ୍ଷାବଳ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ପୁରା ଅଞ୍ଚଳକୁ ସିଲ୍ କରି ଲଗାତାର ସର୍ଚ୍ଚ ଅପରେସନ ଚାଲିଛି ।...