ସୁବର୍ଣ୍ଣପୁର ୧୫/୭: ସୁବର୍ଣ୍ଣପୁର ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ହତ୍ୟା ମାମଲାର ପର୍ଦ୍ଦାଫାଶ । ଜମିବାଡି ବିବାଦକୁ ନେଇ ଘଟିଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ । ପ୍ରେସମିଟ୍ରେ ହତ୍ୟାର ପର୍ଦ୍ଦାଫାଶ କରିଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ । ସେପଟେ ହତ୍ୟାକାଣ୍ଡରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ରାମପୁର ପୋଲିସ । ଗିରଫ ୪ ଜଣ ବ୍ରାହ୍ମଣୀପାଲି ଗାଁର ଯୋଗେଶ୍ଵର ଭୋଇ, ପଣ୍ଡରାପାଲି ଗାଁର ଗୋବିନ୍ଦ ବେହେରା, ଗଜବନ୍ଧ ଗାଁର ଧନଞ୍ଜୟ ପଶାୟତ ଓ ହୃଶୀକେଶ ବଗର୍ତ୍ତୀ ।
ଗତ ୧୦ ତାରିଖ ରାତିରେ ରାମପୁର ଥାନା ପଣ୍ଡରାପାଲି ରାସ୍ତାରେ ଗଜବନ୍ଧ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚଙ୍କ ସ୍ବାମୀ ବଲ୍ଲଭ କ୍ଷେତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ରାମପୁର ଥାନାରେ କେଶ ନମ୍ୱର 98/2025 ରେ ଏକ ମାମଲା ରୁଜୁ ହୋଇଥିଲା ।ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନ୍ଭିନ୍ ଆରମ୍ଭ କରିଥିଲା । ଜମି ବାଡିକୁ ନେଇ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ।