ରାଉରକେଲା ୨୮।୦୭ : ଲାଲ୍ ସଂଗଠନକୁ ବଡ଼ ଝଟ୍କା । ମାଟିତଳୁ ଜବତ ହେଲା ୩୫ ଲକ୍ଷ ଟଙ୍କା । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ଠାବ ହୋଇଛି ଏହି ବିପୁଳ ପରିମାଣର ଟଙ୍କା । ଉକ୍ତ ଟଙ୍କାକୁ ମାଓବାଦୀମାନେ ପୋତିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ପୂର୍ବ ନିର୍ଦ୍ଧାରିତ ଗୁଇନ୍ଦା ସୂଚନା ଆଧାରରେ ରବିବାର ସକାଳୁ ସକାଳୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜଙ୍ଗଲରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଏହି ସମୟରେ ଯବାନ ମାଟି ତଳେ ପୋତାଯାଇଥିବା ଷ୍ଟିଲ୍ ଟିଫିନ୍ ବକ୍ସ ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଟିଫିନ ବକ୍ସରୁ ଟଙ୍କା ବିଡ଼ା ବାହାରିଥିଲା । ଏହାପରେ ସୁରକ୍ଷାକର୍ମୀ ଜୋରଦାର କରିଥିଲେ ଅପରେସନ । ଯେଉଁଥିରେ ସୁରକ୍ଷାକର୍ମୀଙ୍କୁ ମୋଟ ୩୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏହି ଟଙ୍କାର ଅତ୍ୟାଧୁନିକ ମାରଣାସ୍ତ୍ର ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ କିଣିବାକୁ ମାଓ ସଂଗଠନ ଯୋଜନା କରୁଥିବା ଅନୁମାନ କରାଯାଉଛି । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ତାକୁ ବି ନେଇ ବଡ଼ ପ୍ରଶ୍ନ ଉଠୁଛି । ଏହି ସବୁ ଟଙ୍କା ବଡ଼ବଡ଼ ଠିକାଦାର, ବ୍ୟବସାୟୀ, ଶିଳ୍ପପତିଙ୍କୁ ଧମକାଇ ଆଦାୟ କରିଥିବା ସନ୍ଦେହ କରାଯାଉଛି ।