ପୁରୀ, ୦୫/୦୭: ଜନ୍ମବେଦୀରେ ସରିଲା ଲୀଳାଖେଳା। ଆଡ଼ପ ମଣ୍ଡପରୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସଅଳ ଆରମ୍ଭ ହେଲା ପହଣ୍ଡି ଯାତ୍ରା। ପ୍ରଥମେ ଗୁଣ୍ଡିଚା ମନ୍ଦିର ଛାଡ଼ି ଶରଧାବାଲିକୁ ଓହ୍ଲାଇ ଆସିଲେ ଚକ୍ରରାଜ। ଘଣ୍ଟଘଣ୍ଟା ନାଦରେ ଦୁଲୁକିଲା ନାକଚଣା ଦ୍ବାର।
ଭକ୍ତିମୟ ପରିବେଶରେ ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ରଥାରୂଢ଼ ହେଲେ ମହାପ୍ରଭୁ ସୁଦର୍ଶନ। ପଛକୁ ଧାଡ଼ି ପହଣ୍ଡିରେ ଆସିଲେ ବଡ଼ ଠାକରୁ ବଳଭଦ୍ର। ତାଙ୍କ ପଛକୁ ଆସିଛନ୍ତି ହଳଦୀମୁହିଁ ମା' ସୁଭଦ୍ରା। ଶେଷରେ ଗହଳି ଲଗାଇ ଝୁଲିଝୁଲି ଆସୁଛନ୍ତି ହଟିଆ ଠାକୁର।
ଶୁକ୍ରବାର ରାତିରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ନୀତି ଆରମ୍ଭ ହୋଇଥିଲା। ନୀତି ନିର୍ଘଣ୍ଟ ଅନୁସାରେ ବାହୁଡ଼ାରେ ପ୍ରାତଃ ୪ଟାରେ ମଙ୍ଗଳା ଆଳତି ବଢ଼ିବା ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ସହ ଗୋପାଳବଲ୍ଲଭ ବଢ଼ି ଓ ସକାଳ ଧୂପରେ ପୂଜାପଣ୍ଡା ସାଆନ୍ତେ ଠାକୁରମାନଙ୍କୁ ଖେଚୁଡି ଭୋଗ ଅର୍ପଣ କରିଥିଲେ ।
ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ସେନାପଟା ଲାଗି କରିଥିଲେ। ପରେ ଠାକୁରଙ୍କ ୩ ବାଡ଼ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ମୁଦିରସ୍ତ ସେବକମାନେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ବଢାଇବା ପରେ ଠାକୁରମାନଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।