କୋଲକାତା ୧୮।୦୮ : ୪୮ ଘଣ୍ଟା ମଧ୍ୟରେ ଆକ୍ସନ । ସନ୍ତରଣକାରୀ ପଦ୍ମଶ୍ରୀ ବୁଲା ଚୌଧୁରୀଙ୍କ ମୁହଁକୁ ଫେରିଲା ଖୁସି । ଚୋରିର ଅଭିଯୋଗ ପରେ ଛାନ୍ଭିନ୍ କରି ୪୮ ଘଣ୍ଟା ମଧ୍ୟରେ ୨୯୫ ମେଡାଲକୁ ଠାବ କରିଛି କୋଲକାତା ପୋଲିସ । ପ୍ରେସ୍ମିଟ୍ ଜରିଆରେ ପୋଲିସ ଏହି ସୂଚନା ଦେଇଛି ।
ପୂର୍ବତନ ସନ୍ତରଣକାରୀ ବୁଲା ଚୌଧୁରୀଙ୍କ ହୁଗୁଲି ସ୍ଥିତ ଘରୁ ଗତ ଶୁକ୍ରବାର ଦିନ ବଡ଼ଧରଣର ଚୋରି ହୋଇଥିଲା । ଲୁଟେରାମାନେ ବୁଲା ଚୌଧୁରୀଙ୍କ ଘରେ ଥିବା ଏକାଧିକ ମେଡାଲକୁ ଚୋରି କରି ନେଇଥିଲେ । ଏପିରିକି ତାଙ୍କ ବୃତ୍ତିଗତ ଜୀବନରେ ମିଳିଥିବା ସମସ୍ତ ପଦ ଲୁଟି ନେଇଯାଇଥିଲେ । ଚୋରି ହୋଇଥିବା ଘରେ ବୁଲା ନିୟମିତ ଭାବେ ରୁହନ୍ତିନାହିଁ । ସେ କୋଲକାତାରେ ଥିବା ବେଳେ ଏହି ଘଟଣା ସଂପର୍କରେ ଖବର ପାଇଥିଲେ । ଏହାପରେ ତୁରନ୍ତ ଚୋରି ହୋଇଥିବା ଘରକୁ ଆସି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତୁରନ୍ତ ଆକ୍ସନମୋଡ଼କୁ ଆସିଥିଲା ପୋଲିସ । ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ଚୋରି ହୋଇଥିବା ୨୯୫ ମେଡାଲକୁ ସିଜ୍ କରିଛି । ଏହାସହ କିଛି ଲୁଟେରାଙ୍କୁ ମଧ୍ୟ କାବୁ କରିଛି ପୋଲିସ । ପ୍ରେସମିଟ୍ ଜରିଆରେ ପୋଲିସ ଏହି ସୂଚନା ଦେଇଛି ।
ସେପଟେ ଚୋରି ମେଡିଲା ମିଳିବା ପରେ ବୁଲା ଚୌଧୁରୀ କହିଛନ୍ତି ଯେ, ୨୯୫ ମେଡାଲ ଠାବ ହୋଇଥିବା ଖବର ପାଇଁ ମୁଁ ବହୁତ ଖୁସି। ହେଲେ ପଦ୍ମଶ୍ରୀ ପୁରସ୍କାର ବିତରଣ ସମୟରେ ଆମକୁ ଦୁଇଟି ମେଡାଲ ଦିଆଯାଏ । ଗୋଟିଏ ବଡ଼ ଏବଂ ଛୋଟ ମେଡାଲ ରହିଥାଏ । ପୋଲିସ ବଡ଼ ମେଡାଲକୁ ଜବତ କରିଛି, ହେଲେ ଛୋଟ ମେଡାଲଟି ମିଳିନାହିଁ । ଆଶା କରୁଛି ଏହି ମେଡାଲଟି ମୋତେ ଖୁବଶୀଘ୍ର ମିଳିବ ।