ନୂଆଦିଲ୍ଲୀ: ସ୍ୱଦେଶୀ ସାମଗ୍ରୀକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୨୭ ରାଜ୍ୟରେ ପିଏମ୍ ଏକତା ମଲ୍ ନିର୍ମାଣକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଦେଇଛନ୍ତି। ୱାନ ଡିଷ୍ଟ୍ରିଷ୍ଟ ୱାନ ପ୍ରଡକ୍ଟ (ଓଡିଓପି) ପଦକ୍ଷେପ ଅଧୀନରେ ଏହି ମଲ୍ସଗୁଡ଼ିକ ନିର୍ମାଣ ହେବ। ଯେଉଁଥିରେ ଭାରତର ବିଭିନ୍ନ ଅଞ୍ଚଳର ଜିଆଇ ଟ୍ୟାଗ୍ ପ୍ରାପ୍ତ ସାମଗ୍ରୀ ଓ ସ୍ଥାନୀୟ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ କରାଯିବ।
କେନ୍ଦ୍ର ସରକାର ଏଥିପାଇଁ "ପୁଞ୍ଜି ନିବେଶ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ଯୋଜନା"( SASCI) ରେ ୨୦୨୩-୨୪ ବଜେଟରେ ୫,୦୦୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଏହି ଯୋଜନାରେ ଅନୁସାରେ ପ୍ରତ୍ୟେକ ରାଜ୍ୟରେ ଏହି ମଲ୍ ତିଆରି ହେବ। 'ପ୍ରଥମେ ଆସ ପ୍ରଥମେ ପାଅ' ଭିତ୍ତିରେ ଏହି ମଲ୍ ସ୍ଥାପନ ପାଇଁ କାମ ହେବ। ତେବେ ଉତ୍ତର ପ୍ରଦେଶର ଆକାର ବଡ଼ ହୋଇଥିବାରୁ ଏଠାରେ ଆଗ୍ରା, ଲକ୍ଷ୍ନୌ ଏବଂ ବାରାଣସୀରେ ତିନୋଟି ମଲ୍ ନିର୍ମାଣ କରାଯିବ। ଏହି ତିନି ପ୍ରକଳ୍ପ ପାଇଁ ୩୭୦.୨୫ କୋଟି ବ୍ୟୟବରାଦ କରାଯାଇଛି।
ଏହାକୁ ଡିଲେଲ୍ଡ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର୍)ରେ ଆର୍ଥିକ ମଞ୍ଜୁରି ମିଳିଛି। ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ଉଦ୍ୟୋଗମ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ। ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT)ର ସୁପାରିଶ କ୍ରମେ, ୨୭ଟି ରାଜ୍ୟର ଏକତା ମଲ୍ରର DPRଗୁଡ଼ିକୁ ବ୍ୟୟ ବିଭାଗ ଦ୍ୱାରା ଅନୁମୋଦନ କରାଯାଇଛି। ଏପର୍ଯ୍ୟନ୍ତ ₹୪,୭୯୫.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଏହି ଯୋଜନାର ଗାଇଡ୍ଲାଇନ ଅନୁଯାୟୀ, ଏକତା ମଲ୍ ପାଇଁ ଆବଶ୍ୟକୀୟ ଜମି ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ। କିମ୍ବା ଜମି ଅଧିଗ୍ରହଣର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ରାଜ୍ୟ ରାଜଧାନୀ କିମ୍ବା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଏକତା ମଲ୍ ସ୍ଥାପନ କରିବାର ବ୍ୟବସ୍ଥା ଅଛି।
ପ୍ରଧାନମନ୍ତ୍ରୀ ଏକତା ମଲ୍ ଦେଶର ସାଂସ୍କୃତିକ ବିବିଧତା, ସ୍ଥାନୀୟ ଉତ୍ପାଦ ଏବଂ ହସ୍ତଶିଳ୍ପକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଦୃଷ୍ଟିକୋଣକୁ ସାକାର କରିବ। ଏହା କେବଳ ସ୍ଥାନୀୟ କାରିଗର ଏବଂ ଉତ୍ପାଦକମାନଙ୍କୁ ଜାତୀୟ ପରିଚୟ ଦେବ ନାହିଁ, ବରଂ ଭାରତର ସମୃଦ୍ଧ ହସ୍ତଶିଳ୍ପ ଏବଂ ପାରମ୍ପରିକ ଉତ୍ପାଦ ସହିତ ଘରୋଇ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଯୋଡ଼ିବାରେ ସହାୟକ ହେବ।
ଓଡ଼ିଶାରେ ବି ହେବ ଏକତା ମଲ୍
ଏକତା ମଲ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସର୍ବାଧିକ ୩୭୦.୨୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଅନ୍ୟାନ୍ୟ ଉଚ୍ଚ ପାଣ୍ଠି ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟ ପ୍ରଦେଶ (ଉଜ୍ଜୟିନୀରେ ୨୮୪ କୋଟି ଟଙ୍କା), ଆସାମ (ଗୌହାଟୀରେ ୨୨୬ କୋଟି ଟଙ୍କା), ଏବଂ ତାମିଲନାଡୁ (ଚେନ୍ନାଇରେ ୨୨୩ କୋଟି ଟଙ୍କା), ସାଂସ୍କୃତିକ ଏବଂ ବାଣିଜ୍ୟିକ କେନ୍ଦ୍ର ଉପରେ ଧ୍ୟାନ ରଖି ଏହି ରାଶି ଆବଣ୍ଟିତ କରାଯାଇଛି।
ସେହିପରି ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ଓଡ଼ିଶା ଏବଂ ପଞ୍ଜାବକୁ ମଧ୍ୟମ ପରିମାଣର ପାଣ୍ଠି ଆବଣ୍ଟିତ ହୋଇଛି। ଅନ୍ୟପଟେ ଗୋଆ, ତ୍ରିପୁରା, ସିକିମ୍ ଏବଂ ହିମାଚଳ ପ୍ରଦେଶ ଭଳି ଛୋଟ ରାଜ୍ୟଗୁଡ଼ିକର ଆବଣ୍ଟିତ ୧୪୦ କୋଟି ଟଙ୍କା ତଳେ ରହିଛି। ଓଡ଼ିଶାକୁ ଏକତା ମଲ୍ ନିର୍ମାଣ କରିବା ପାଇଁ ୧୮୯ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହି ମଲ୍ ଭୁବନେଶ୍ୱରର ଗଣ୍ଡମୁଣ୍ଡାରେ ସ୍ଥାପନ ହେବ।