ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ୧୧ ଦିନ ସୁଦ୍ଧା ଚିହ୍ନଟ ହେଲେ ୨୫୯ ମୃତକ, ୨୫୬ ଶବ ହସ୍ତାନ୍ତରିତ

Published By : Prameya-News7 Bureau | June 23, 2025 IST

ଅହମଦାବାଦ ୨୩।୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ୧୧ ଦିନ ସୁଦ୍ଧା ଅଧିକାରୀମାନେ ୨୫୯ ଶବ ଚିହ୍ନଟ କରିଥିବା ପୁଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୯୯ଜଣ ଭାରତୀୟ ହୋଇଥିବା ବେଳେ ୬୦ ଜଣ ବିଦେଶୀ ନାଗରିକ ଅଛନ୍ତି। ଏହି ନାଗରିକମାନେ ବ୍ରିଟେନ, ପର୍ତ୍ତୃଗାଲ ଓ କାନାଡାର ବୋଲି କୁହାଯାଇଛି। ଏ ପର୍ଯ୍ୟନ୍ତ ୨୫୬ ଶବ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତରିତ କରାଯାଇଛି। ଅହମଦାବାଦ ସିଭିଲ ହସ୍ପିଟାଲ ଦ୍ୱାରା ଜାରି ଏକ ପ୍ରେସ୍ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି।  

ଏଥିରେ ୩ ଜଣ ବ୍ରିଟିଶ ନାଗରିକଙ୍କ ଶବକୁ ସେମାନଙ୍କ ଦେଶକୁ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି। ଅଧିକାରୀଙ୍କ ଅନୁସାରେ ଏପରି କେତେକ ଶବ ଅଛି ଯେଉଁଗୁଡିକ ସମ୍ପୂର୍ଣ୍ଣ ଜଳି ଯାଇ କ୍ଷତିଗ୍ରସ୍ତ ହୋଇଛି। ଏଣୁ ଏହି ଶବଗୁଡିକୁ ଚିହ୍ନଟ କରିବା କଷ୍ଟକର ହେଉଥିଲା। ଏଣୁ ଶବଗୁଡିକୁ ଡିଏନଏ ପରୀକ୍ଷଣ ଦ୍ୱାରା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଗତ ସପ୍ତାହରେ ୮ ଜଣଙ୍କ ଶବ ଚିହ୍ନଟ କରିବା ପାଇଁ ସେମାନଙ୍କ ପରିବାରକୁ ନୂଆ ଡିଏନଏ ସାମ୍ପୁଲ ମଗାଯାଇଥିଲା। 

ଉଲ୍ଲେଖଯୋଗ୍ୟ ଯେ ଜୁନ ୧୨ ତାରିଖ ମଧ୍ୟାହ୍ନରେ ଅହମଦାବାଦ-ଗାଟ୍ ୱିକ୍ ଏୟାର ଇଣ୍ଡିଆ ବିମାନ ଉଡାଣ କରିବାର ମାତ୍ର କିଛି ମିନିଟରେ ଆକାଶରୁ ଖସି ପଡିଥିଲା। ଏହି ବିମାନଟି ଏୟାରପୋର୍ଟ ନିକଟ ଜନବସତୀ ଅଞ୍ଚଳର ବି.ଜେ ମେଡିକାଲ କଲେଜ ହସ୍ପିଟାଲର ଛାତ୍ରାବାସ ଉପରେ ଖସି ପଡିଥିଲା। ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ଛାତ୍ରାବାସ କ୍ୟାଣ୍ଟିନରେ ଡାକ୍ତରୀ ଛାତ୍ରଙ୍କ ଭିଡ ଥିଲା। ଏଣୁ ବିମାନ ଯାତ୍ରୀ ଓ ତଳେ ଜନବସତୀ ଅଞ୍ଚଳରେ ଅନେକ ଲୋକ କ୍ଷୟକ୍ଷତି ହୋଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.