ଭଦ୍ରକରେ ୨୪ ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ, ମୃତକଙ୍କ ପରିବାରକୁ ସିଏମ୍ ସହାୟତା

Published By : Prameya-News7 Bureau | June 12, 2025 IST

ଭଦ୍ରକ ୧୨/୦୬: ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣା, ଅଞ୍ଚଳରେ ଉତ୍ତେଜନାକୁ ଆଖିରେ ରଖି ଭଦ୍ରକରେ ୨୪ ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏଁ  ଇଣ୍ଟରନେଟ ସେବା ବନ୍ଦ ରହିବ । ଭଦ୍ରକ ପୌରାଞ୍ଚଳ, ଭଦ୍ରକ ବ୍ଲକ, ତିହିଡିରେ ଇଣ୍ଟରନେଟ ସେବା ବନ୍ଦ ରହିବ । 

ସେହିପରି ଧାମନଗର ବ୍ଲକ, ଧାମନଗର ପୌରାଞ୍ଚଳରେ ମଧ୍ୟ ଇଣ୍ଟରନେଟ ସେବା ଠପ୍ ରହିବ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାଛଡ଼ା ସମ୍ୱେଦନଶୀଳ ଅଞ୍ଚଳରେ ୨୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । 

ସୂଚନା ଥାଉକି, ଗତ ମେ ୩୦ତାରିଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ କଷଟି ଗାଁର ସନ୍ତୋଷ ପରିଡ଼ାଙ୍କୁ ୨୦ରୁ ଅଧିକ  ଲୋକେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷ ଆଖି ବୁଜିଛନ୍ତି । 

ଏହି ଘଟଣାରେ ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଏହି ଘଟଣା ପରେ କଷଟି, ଦେଉଳା ଓ ଜୟପୁରଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ତୋଷଙ୍କ ସ୍ତ୍ରୀ ମିନତୀ ବେହେରା ତିହିଡ଼ି ଥାନାରେ ଦେଇଥିବା ଏତଲା ଆଧାରରେ ମୋକଦ୍ଦମା ରୁଜୁ ହୋଇଛି । 

ଭଦ୍ରକ ଏସପି ମନୋଜ ରାଉତ କଷଟି ଗାଁକୁ ଯାଇ ସ୍ଥିତି ଉପରେ ନଜର ରଖିଛନ୍ତି । ଏହି ଘଟଣାରେ ଏସପିଙ୍କ ନିର୍ଦ୍ଦେଶରେ ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ବାଲେଶ୍ବରରୁ ଧରିଛି ପୁଲିସ । ତେବେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଭଦ୍ରକ ପୁଲିସ ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରେ ଚଢ଼ାଉ ଜାରି ରହିଛି । ସେପଟେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.