'କୋଚଡିୟାଁ' ଫିଲ୍ମ ମାମଲା: ପ୍ରଯୋଜକଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଚେତାବନୀ

NEWS7
232-new-corona-case-in-odisha

ନୂଆଦିଲ୍ଲୀ: ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର 'କୋଚଡିୟାଁ' ସହ ଜଡ଼ିତ ଏକ ଚେକ୍ ବାଉନ୍ସ ମାମଲାରେ ମାଡ୍ରାସ ହାଇକୋର୍ଟ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ଏପ୍ରିଲ ୨୦ ପୂର୍ବରୁ ବଳକା କ୍ଷତିପୂରଣ ରାଶି ପୈଠ ନକଲେ ପ୍ରଯୋଜକଙ୍କ ପ୍ରତିନିଧିଙ୍କୁ ଛଅ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାରେ ମିଡିଆ ୱାନ୍ ଗ୍ଲୋବାଲ୍ ଏଣ୍ଟରଟେନମେଣ୍ଟର ନିର୍ଦ୍ଦେଶକ ମୁରଲୀ ମନୋହର ସାମିଲ ଅଛନ୍ତି। ପୂର୍ବରୁ ତାଙ୍କୁ ଏହି ଚେକ୍ ଠକେଇ ମାମଲାରେ ନିମ୍ନ ଅଦାଲତ ଜେଲଦଣ୍ଡ ଶୁଣାଇଥିଲେ। ସେ ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ।

କ’ଣ ଏହି ଆର୍ଥିକ ବିବାଦ ?

ରିପୋର୍ଟ ଅନୁସାରେ, ଫିଲ୍ମର ମୁକ୍ତିଲାଭ ପାଇଁ ମିଡିଆ ୱାନ୍ ଗ୍ଲୋବାଲ୍ ଏଣ୍ଟରଟେନମେଣ୍ଟ ଆଡ୍ ବ୍ୟୁରୋ ବିଜ୍ଞାପନରୁ ୧୦ କୋଟି ଟଙ୍କା ଋଣ ନେବାରୁ ଏହି ସମସ୍ୟା ଆରମ୍ଭ ହୋଇଥିଲା। ଏହି ରାଶିର କିଛି ଅଂଶ ପରିଶୋଧ କରିବା ପାଇଁ, କମ୍ପାନି ବିଜ୍ଞାପନ ସଂସ୍ଥାକୁ ୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲା। କିନ୍ତୁ, ଯେତେବେଳେ ଚେକ୍ ବ୍ୟାଙ୍କରେ ଜମା କରାଯାଇଥିଲା, ପ୍ରଯୋଜନା କମ୍ପାନି ବ୍ୟାଙ୍କକୁ ଟଙ୍କା ନଦେବାକୁ ନିର୍ଦ୍ଦେଶ ଦେବା ପରେ ପେମେଣ୍ଟ ବନ୍ଦ କରାଯାଇଥିଲା। ଫଳସ୍ୱରୂପ, ବିଜ୍ଞାପନ କମ୍ପାନି ଟଙ୍କା ପାଇପାରିନଥିଲା। ଏହା ପରେ ବିଜ୍ଞାପନ କମ୍ପାନିର ମାଲିକ ଅଭିରଚାନ୍ଦ ନାହାର, ମୁରଲୀ ମନୋହର ଏବଂ ତାଙ୍କ କମ୍ପାନି ବିରୁଦ୍ଧରେ ଏକ ଚେକ୍ ଫ୍ରଡ୍ ମାମଲା ଦାୟର କରିଥିଲେ। ଅବଶ୍ୟ ମୁରଲୀ ମନୋହର ଏବେ ଜାମିନରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ମନୋରଞ୍ଜନ ଜଗତ ଉପରେ ଯୁଦ୍ଧର ପ୍ରଭାବ, ଦୀପିକାଙ୍କ ପ୍ୟାରିସ୍ ଫ୍ୟାଶନ୍ ଶୋ’ ବାତିଲ

ପୂର୍ବ କୋର୍ଟ କ’ଣ ଦେଇଥିଲେ ରାୟ ?

ଚେନ୍ନାଇର ଟ୍ରାଏଲ୍ କୋର୍ଟ ପୂର୍ବରୁ ମୁରଲୀ ମନୋହରଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଦେଇଥିଲେ ଏବଂ ଅଭିଯୋଗକାରୀଙ୍କୁ ସୁଧ ସହିତ କ୍ଷତିପୂରଣ ଭାବରେ ୭.୭୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିଷ୍ପତ୍ତିକୁ ମାଡ୍ରାସ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ତେବେ ବର୍ତ୍ତମାନ ହାଇକୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ୮ ସପ୍ତାହ ମଧ୍ୟରେ କୋର୍ଟରେ ୨.୫୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ଆଦେଶ

ବର୍ତ୍ତମାନ ଶୁଣାଣି ସମୟରେ ମନୋହର ବଳକା ରାଶି ପ୍ରଦାନ ପାଇଁ ସମୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଏମିତିରେ ବିଚାରପତି ସୁନ୍ଦର ମୋହନ କହିଥିଲେ ଯେ, ପୂର୍ବରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇସାରିଛି। ତେଣୁ ବିଚାରପତି, ମୁରଲୀ ମନୋହରଙ୍କୁ ବଳକା ୨.୨୭ କୋଟି ଟଙ୍କା ଦୁଇଟି କିସ୍ତିରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ନିର୍ଦ୍ଦେଶ ଅନୁଯାୟୀ, ୧ କୋଟି ଟଙ୍କା ମାର୍ଚ୍ଚ ୨୦ ତାରିଖ କିମ୍ବା ତା’ପୂର୍ବରୁ ଏବଂ ବାକି ୧.୨୭ କୋଟି ଟଙ୍କା ଏପ୍ରିଲ ୨୦ ତାରିଖ ପୂର୍ବରୁ ଦେବାକୁ ପଡ଼ିବ। କୋର୍ଟ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଯଦି ଦିଆଯାଇଥିବା ସମୟ ମଧ୍ୟରେ ରାଶି ପ୍ରଦାନ ନ କରାଯାଏ, ତେବେ ମୁରଲୀ ମନୋହରଙ୍କୁ ପୂର୍ବରୁ ଦିଆଯାଇଥିବା ୬ ମାସର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ଘନିଷ୍ଠ ବନ୍ଧୁଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଲେ ବିଗ୍ ବି, କହିଲେ-ସମସ୍ତେ ଛାଡିକି ପଳାଉଛନ୍ତି