ବାଲିଯାତ୍ରା ୨୦୨୫
LIVE TV

ଫଇଟର ଜେଟ୍ ଓ ଯୁଦ୍ଧ ଜାହାଜରେ ତାଇୱାନକୁ ଘେରିଛି ଚୀନ୍, ଟ୍ରମ୍ପ କହିଲେ- କିଛି ହେଲେ ଦୁନିଆ ଦେଖିବ ଚୀନ୍ ର ହାଲ

NEWS7
23-injured-as-suicide-bomber-targets-police-truck-in-pakistan

ୱାସିଂଟନ ୯।୧୧: ତାଇୱାନ ରକ୍ଷା ମନ୍ତ୍ରାଳୟ ରବିବାର ସୂଚିତ କରିଛି ଯେ ଦେଶକୁ ଚାରିପାଖରୁ ଏବେ ଚୀନ୍ ର ୧୦ ଯୁଦ୍ଧ ବିମାନ (ପିଏଲଏ) ଓ ୧୦ ନୌସେନା ଯୁଦ୍ଧ ଜାହାଜ (ପିଏଲଏଏନ) ଘେରି  ରହିଥିବା ଦେଖା ଯାଉଛି। ଏଥିରୁ ୪ଟି ଫାଇଟର ଜେଟ୍ ତାଇୱାନର ‘ମିଡିୟନ ଲାଇନ’ ପାର କରି ଉତ୍ତର ଓ ଦକ୍ଷିଣ ଚିହ୍ନିତ ବାୟୁସୀମା ପ୍ରତିରକ୍ଷା କ୍ଷେତ୍ର (ଏଡିଆଇଜେଡ) ମଧ୍ୟକୁ ଅନୁପ୍ରବେଶ କରୁଥିବା ଦେଖା ଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ରବିବାର ସକାଳ ୬ଟାରୁ ଚୀନ୍‌ ଏହି ଘେରାବନ୍ଦୀ କରିଛି। ତାଇୱାନ ସଶସ୍ତ୍ର ସେନା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ଆବଶ୍ୟକତା ପଡିଲେ ପଦକ୍ଷେପ ନେବ ବୋଲି କୁହାଯାଇଛି। ଏହା ପୂର୍ବରୁ ଶନିବାର ତାଇୱାନ ଉପକୂଳରେ ଚୀନ୍‌ ର ୧୮ ଯୁଦ୍ଧ ବିମାନ ଓ ୭ ନୈସେନା ଜାହାଜ ସମେତ ଏକ ସରକାରୀ ପୋତ ଗତିବିଦ୍ଧି ଦେଖା ଯାଇଥିଲା। ସେହିପରି ଶୁକ୍ରବାର ମଧ୍ୟ ୩୮ ବାୟୁସେନା ଯୁଦ୍ଧବିମାନଙ୍କୁ ତାଇୱାନ ଆଖପାଖରେ ଦେଖାଯାଇଥିଲା। ଏଥିରୁ ୩୧ଟି ଯୁଦ୍ଧ ବିମାନ ତାଇୱାନ ବାୟୁସୀମା କ୍ଷେତ୍ରକୁ ପଶିଥିଲେ।

ଚୀନ୍‌ ଲଗାତାର ଚଳାଇଥିବା ସୈନ୍ୟ ଗତିବିଦ୍ଧି ଏବେ ତାଇୱାନ ପାଇଁ ଉତ୍ତେଜନାର କାରଣ ପାଲଟିଛି। ତାଇୱାନକୁ ଚୀନ୍‌ ଜଳ ଓ ଆକାଶ ମାର୍ଗରେ ଘେରୁଥିବାର ଖବର ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ ଚୀନ୍‌ କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ‘ବେଜିଂ ଜାଣେ ଯଦି ତାଇୱାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ କରେ ଏହାର ପରିଣାମ କଣ ହେବ’। ସିବିଏସ୍ କୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ଆଲୋଚନାରେ ଏହି ପ୍ରସଙ୍ଗ ଉଠି ନଥିଲା। ହେଲେ ସେ କହିଛନ୍ତି ଯେ ଯଦି କିଛି ହୁଏ ତେବେ ଦୁନିଆ ଦେଖିବ ଚୀନ୍‌ ର ହାଲ। ମୁଁ ମୋର ରଣନୀତି ଜଣାଇବି ନାହିଁ। ହେଲେ ଚୀନ୍‌ ଜାଣିଛି ପରିଣାମ କଣ ହେବ?