ମାଛଗାଁ କେନାଲରେ ୨୦ ଫୁଟର ଘାଇ, ୧୦ରୁ ଉର୍ଦ୍ଧ୍ବ ଗାଁର ଚାଷ ଜମି ଜଳମଗ୍ନ

Published By : Prameya-News7 Bureau | July 30, 2025 IST

ଜଗତସିଂହପୁର ୩୦।୭: କଟକ-ଜଗତସିଂହପୁର ଜାତୀୟ ରାଜପଥ ତରିକୁନ୍ଦ-ନୂଆଦା ଛକ ନିକଟରେ ମାଛଗାଁ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ତରିକୁନ୍ଦ ବଜାର ସମେତ ନୂଆଦା, ସାନ ତିହଡା, ବଡ଼ ତିହଡା, ବରାଗୋଳ, ଗୋଠିଣା ଆଦି ୧୦ରୁ ଉର୍ଦ୍ଧ୍ବ ଗାଁର ଚାଷ ଜମି ଜଳମଗ୍ନ ହୋଇଛି । କେନାଲ କଡ଼ରେ ଥିବା ୨୦ରୁ ଉର୍ଦ୍ଧ୍ବ ଘର ପାଣି ଘେରରେ ରହିଥିବା ସହ ତରିକୁନ୍ଦ ବଜାରରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ପାଣି ଚାଲିବା ଫଳରେ କଟକ-ଜଗତସିଂହପୁରକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ତରିକୁନ୍ଦ ବଜାର ମଧ୍ୟରେ ଥିବା କେତେକ ଦୋକାନରେ ପାଣି ପଶିଥିବା ବେଳେ ପୋଲିସ ଫାଣ୍ଡି, ତରିକୁନ୍ଦ ମେଡ଼ିକାଲ, ପଂଚାୟତ ଅଫିସ ଭିତରେ ୫ଫୁଟର ପାଣି ବୁଡି ରହିଛି । ଜଳ ସମ୍ପଦ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘାଇକୁ ମରାମତି କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । 

ଗତ ବର୍ଷ ଏହି ସ୍ଥାନରେ କେନାଲରେ ବଡ଼ ଘାଇ ହୋଇଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇ ବ୍ୟାପକ କ୍ଷତି ହୋଇଥିଲା । ଏପରିକି ବଜାରର ମାତ୍ରାଧିକ ଦୋକାନରେ ପାଣି ପଶି ବହୁ ମାତ୍ରାରେ କ୍ଷତି ହୋଇଥିଲା ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.