ଢେଙ୍କାନାଳ: ଗଣେଶ ମେଢ଼ ଭସାଣ ଶୋଭାଯାତ୍ରା ବେଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ଘଟିଛି ଉତ୍ତ୍ୱେଜନା । ଏପରିକି ଗଣ୍ଡଗୋଳରୁ ଛୁରାମାଡ଼ ହୋଇଛି। ଛୁରା ମାଡ଼ରେ ଉକ୍ତ ଗ୍ରାମର ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଦୁଇଜଣ ତରଭା ମଝି ସାହିର ସୁବ୍ରତ ସ୍ୱାଇଁ ଓ ବିଶ୍ୱଜିତ ସ୍ୱାଇଁ । ଉଭୟଙ୍କ ପିଠି ଓ ହାତରେ ଛୁରା ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ପୂର୍ବ ଶତ୍ରୁତାରୁ ଏହି ଛୁରାମାଡ଼ ହୋଇଥିବା ଜଣାପଡିଛି। ତରଭା ମଝି ସାହିର ଏହି ଛୁରାମାଡ଼ର ଶିକାର ଦୁଇ ଯୁବକଙ୍କ ସହିତ ଅଟଳିଆ ସାହିର କିଛି ଯୁବକଙ୍କ ସହିତ ପୂର୍ବରୁ ଶତ୍ରୁତା ରହିଥିଲା। ଆଜି ସନ୍ଧ୍ୟାରେ ତରଭା ଅଟଳିଆ ସାହିର ଗଣେଶ ମେଢ ଭସାଣ ଶୋଭାଯାତ୍ରା ଚାଲିଥିଲା। ତେବେ ଏହି ସମୟରେ ମଝି ସାହିର ଏହି ଯୁବକ ଦୁଇଜଣ ବାଇକ ଯୋଗେ ଏହି ଶୋଭାଯାତ୍ରା ଅତିକ୍ରମ କରୁଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଅଟଳିଆ ସାହିର ଜଣେ ଯୁବକ ଉଭୟଙ୍କୁ ଛୁରା ମାଡ଼ କରିଥଲା ।
ରକ୍ତ ଜୁଡୁବୁଡୁ ହୋଇ ଉଭୟେ ଆକ୍ରମଣ ସ୍ଥଳରୁ ଖସି ପଳାଇ ଆସିଥିବା ଜଣାପଡିଛି। ଏହି ଘଟଣା ପରେ ତରଭା ଗ୍ରାମରେ ଉତେଜନା ରହିଥିବା ବେଳେ ଉଭୟ ମଝିସାହି ଓ ଅଟଳିଆ ସାହି ମଧ୍ୟରେ ଛକା ପଞ୍ଝା ଲାଗିରହିଛି। ଘଟଣାସ୍ଥଳକୁ ସଦର ପୁଲିସ ପହଞ୍ଚି କଡା ନଜର ରଖିଥିବା ସୂଚନା ମିଳିଛି।