LIVE TV

ଭୋଟ ଚୋରି ବିବାଦରୁ ଚର୍ଚ୍ଚାକୁ ଆସିଥିବା ବ୍ରାଜିଲ ମଡେଲଙ୍କ ବିସ୍ଫୋରକ ବୟାନ, କହିଲେ-ନେବେ ଆଇନର ଆଶ୍ରୟ

NEWS7
2-new-variant-recognize-in-odisha

ନୂଆଦିଲ୍ଲୀ ୭।୧୧: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିକଟରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଚୋରି ଅଭିଯୋଗ କରିଥିଲେ। ଏଥିରେ ସେ ବ୍ରାଜିଲୀୟ ମଡେଲଙ୍କ ଉଲ୍ଲେଖ କରିଥିଲେ। ସେ ଅଭିଯୋଗ କରିଥିଲେ ଏହି ବ୍ରାଜିଲୀୟ ମଡେଲ ହରିୟାଣା ବିଧାନସଭା ନିର୍ବାଚନରେ ୧୦ଟି ମତଦାନ କେନ୍ଦ୍ରରେ ୨୨ଥର ଭୋଟ ଦେଇଛନ୍ତି। ଏହା ପରଠାରୁ କଥିତ ରୂପେ ବ୍ରାଜିଲୀୟ ମଡେଲ ଲାରିସା ନେରୀ ଚର୍ଚ୍ଚାରେ ଅଛନ୍ତି।

ନେରୀ କହିଛନ୍ତି ଯେ ବିନା କୌଣସି କାରଣରେ ବିବାଦକୁ ଆସିବା ଯୋଗୁ ଡରରେ ଅଛନ୍ତି । ମୋତେ ଲାଗୁଛି ଏହି ବିବାଦ ଏଆଇ କାରଣରୁ ହୋଇଛି। କଥିତ ରୂପେ ବ୍ରାଜିଲ ମଡେଲ ଲାରିସା ନେରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ମଡେଲ ନୁହଁନ୍ତି, ଜଣେ ହେୟାର ଡ୍ରେସର। ତେବେ ଫଟୋ ଭୋଟର ଲିଷ୍ଟରେ ଆସିବା ନେଇ ପଚରା ଯିବାରୁ ସେ ତର୍କ ଦେଇ କହିଛନ୍ତି ଯେ ଲାଗୁଛି ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର କାଣ୍ଡ ହୋଇ ପାରେ।

ଲାରିସା ଏନଡି ଟିଭିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ଏହି ଫଟୋଟି ପାଖାପାଖି ୮ ବର୍ଷ ପୂର୍ବର। ଏହି ଫଟୋକୁ ସେ ଜଣେ ଫଟୋଗ୍ରାଫର ବନ୍ଧୁଙ୍କ ଦ୍ୱାରା ଉଠାଇଥିଲେ। ଏହି ଫଟୋଟିକୁ ତାଙ୍କ ଘର ବାହାର କାନ୍ଥ ନିକଟରେ ନିଆ ଯାଇଥିଲା। ଏହା କୌଣସି ପ୍ରଫେସନାଲ ଫଟୋ ନଥିଲା। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ କେବେ ମଡେଲ ନଥିଲେ। ଦୀର୍ଘ ବର୍ଷରୁ ସେ ହେୟାର ଡ୍ରେସର କାମ କରି ଆସୁଛନ୍ତି। ସେ କହିଛନ୍ତି ଯେ ତାଙ୍କ ଫଟୋ ଅନଲାଇନ ସାଇଟ୍ ମାନଙ୍କରୁ ମାଗଣାରେ ଡାଉନଲୋଡ କରି ହେଉଛି।

ଲାରିସା କହିଛନ୍ତି ଯେ ସେ କେବେବି ଭାରତ ଯାଇ ନାହାନ୍ତି। ସେହିପରି ସେ ରାହୁଲ ଗାନ୍ଧି ନାମକ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଜାଣନ୍ତି ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ କେବେ ରାଜନୈତିକ ମାମଲାରେ ସାମିଲ ହୁଅନ୍ତି ନାହିଁ। ତେବେ ତାଙ୍କ ଫଟୋର ରାଜନୈତିକ ଉପଯୋଗ ସମ୍ପର୍କରେ ଜାଣିବା ପରେ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଭାରତରେ ତାଙ୍କ ଫଟୋ ହଇଚଇ ସୃଷ୍ଟି କରିଥିବା ବେଳେ ସେ ତାଙ୍କ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କହିଛନ୍ତି।

ସେ କହିଛନ୍ତି ଯେ ଏହା ଭାରତରେ ବଡ଼ ପ୍ରସଙ୍ଗ ହୋଇପାରେ। ହେଲେ ବ୍ରାଜିଲରେ ଏ ନେଇ କୌଣସି ଚର୍ଚ୍ଚା ନାହିଁ। ଯଦି ଏହି ଚର୍ଚ୍ଚା ବ୍ରାଜିଲକୁ ପହଞ୍ଚେ ତେବେ ତାଙ୍କୁ ଆଇନଗତ ପଦକ୍ଷେପ ନେବାକୁ ପଡିବ। ଏ ନେଇ ସେ ତାଙ୍କ ଓକିଲଙ୍କ ସହ କଥା ହେବେ। ହେଲେ ସେ ଭାରତରେ ଉପୁଜିଥିବା ପରିସ୍ଥିତି ପ୍ରଥମେ ଥଣ୍ଡା ପଡୁ ବୋଲି ଚାହାନ୍ତି। ସେ ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ ବୋଲି କହିଛନ୍ତି। କାରଣ ତାଙ୍କ ଫଟୋର ଭୁଲ ଉପଯୋଗ କିଏ କରିଛି ତାହା ସେ ପ୍ରଥମେ ଜାଣିବେ। ତା ପରେ ସେ ଜରୁରି ପଦକ୍ଷେପ ନେବେ ବୋଲି କହିଛନ୍ତି।