ପହଲଗାମ କାଣ୍ଡରେ ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ୨ ଲୋକାଲ ସପୋର୍ଟର ଗରିଫ, ପଚରା ଉଚରା ଜାରି

Published By : Prameya-News7 Bureau | June 22, 2025 IST

ନୂଆଦିଲ୍ଲୀ ୨୨।୬: ପହଲଗାମ କାଣ୍ଡର ୨ ମାସ ପରେ ଅର୍ଥାତ ୨୨ ଜୁନ ରବିବାର ଏକ ଭଲ ଖବର ଆସୁଛି। ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ)କୁ ମାମଲାର ତଦନ୍ତରେ ଏକ ବଡ଼ ସଫଳତା ମିଳିଛି। ଏହି ଆତଙ୍କବାଦୀ କାଣ୍ଡରେ ଆତଙ୍କବାଦୀଙ୍କୁ ରହିବା, ଖାଇବା ଓ ଲଜିଷ୍ଟିକ୍ ସୁବିଧା ଯୋଗାଇ ଦେଇଥିବା ୨ ଜଣ ସ୍ଥାନୀୟ ଲୋକଙ୍କୁ ଏନଆଇଏ ଧରିଛି। ଏହି ଦୁଇଜଣଙ୍କ ଠାରୁ ଆକ୍ରମଣରେ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୌୟବା  ସାମିଲଥିବା ସ୍ପଷ୍ଟ ହୋଇଯାଇଛି। 

ସେହିପରି ସ୍ଥାନୀୟ ସହଯୋଗୀଙ୍କୁ ପଚରା ଉଚରାରେ ପହଲଗାମ ଆତଙ୍କବାଦୀ କାଣ୍ଡରେ ୩ ଜଣ ସାମିଲ ଥିବା ଓ ସେମାନେ ସମସ୍ତେ ପାକିସ୍ତାନୀ ବୋଲି ଜଣାପଡିଛି। ଏହି ଆତଙ୍କବାଦୀ କାଣ୍ଡରେ ୨୬ ଜଣ ନିରିହ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଆହତ ହୋଇଥିଲେ। ଏନଆଇଏ ଅଧିକାରୀଙ୍କ ଅନୁସାରେ ଗିରଫ ସ୍ଥାନୀୟ ସହଯୋଗୀଙ୍କୁ ପହଲଗାମର ବଟକୋଟ ବାସିନ୍ଦା ପରଭେଜ ଅହମଦ ଜୋଧର ଓ ପହଲଗାମ ହିଲପାର୍କର ବଶିର ଅହମଦ ଜୋଧର ଭାବେ ଚିହ୍ନଟ କରାଯାଇଛି। 

ଉଭୟ ପହଲଗାମର ବାସିନ୍ଦା ହୋଇଥିବା ବେଳେ ଆତଙ୍କବାଦୀଙ୍କୁ ଖାଇବା ପିଇବା ଓ ଅନ୍ୟ ଲଜିଷ୍ଟିକ୍ ଯୋଗାଇ ଦେଇଥିଲେ। ଆକ୍ରମଣ ପୂର୍ବରୁ ଦୁଇ ସ୍ଥାନୀୟ ବାସିନ୍ଦା ଆକ୍ରମଣକାରୀଙ୍କୁ ବେସରନ ଉପତ୍ୟାକା ସମ୍ପର୍କରେ ସମସ୍ତ ସୂଚନା ଉପଲବ୍ଧ କରିବା ସହ ଘାଟିରେ  ରାଜ୍ୟ ପୋଲିସ ଅଥବା ସିଆରପିଏଫ ସିକ୍ୟୁରିଟି ନଥିବା କଥା ମଧ୍ୟ ଅବଗତ କରାଇଥିଲେ ବୋଲି ଜଣାପଡିଛି। ଏହା ଛଡା ଆତଙ୍କବାଦୀମାନେ ଦୁଇ ସ୍ଥାନୀୟ ବାସିନ୍ଦାଙ୍କୁ ସେମାନଙ୍କ ସଂସ୍ଥାରେ ସାମିଲ କରିବା ସହ ସେମାନଙ୍କ ସହାୟତା ମାଗିଥିଲେ ବୋଲି ଜଣାପଡିଛି।  

ଏନଆଇଏର ପ୍ରାରମ୍ଭିକ ପଚରା ଉଚରାରେ ଆକ୍ରମଣରେ ୩ ଜଣ ସାମିଲ ଥିବା, ସେମାନେ ସମସ୍ତେ ପାକିସ୍ତାନୀ ଓ ଲସ୍କର-ଏ-ତୌୟବାର ମେମ୍ବର ବୋଲି କହିଛନ୍ତି। ଏନଆଇଏ ଅନୁସାରେ ପହଲଗାମ କାଣ୍ଡର ଫେରାର ଆତଙ୍କବାଦୀଙ୍କ ୨ ଜଣ ଲୋକାଲ ସପୋର୍ଟର। ଏଣୁ ଲୋକାଲ ସପୋର୍ଟର ଧରାପଡିଯାଇଥିବାରୁ ଆତଙ୍କବାଦୀଙ୍କ ନିକଟକୁ ପହଞ୍ଚିବାକୁ ଆଉ ବେଶି ସମୟ ଲାଗିବନି ବୋଲି ଏନଆଇଏ ଅଧିକାରୀ କହିଛନ୍ତି। ତେବେ ଆତଙ୍କବାଦ କାଣ୍ଡ ଭିଆଇଥିବା ୩ ଜଣ ଏବେବି ଫେରାର ଅଛନ୍ତି। 

ଏନଆଇଏ ଯାଞ୍ଚ ଅନୁସାରେ ପରଭେଜ ଓ ବଶିର ଆକ୍ରମଣ ପୂର୍ବରୁ ହିଲପାର୍କରେ ଥିବା ସେମାନଙ୍କ ମୌସମୀ ଢୋଙ୍କ (ଝୁପୁଡି ଘର)ରେ ୩ଜଣ ସଶସ୍ତ୍ର ଆତଙ୍କବାଦୀଙ୍କୁ ରଖିଥିଲେ। ସେମାନଙ୍କ ଖାଇବା ପିଇବା କଥା ବୁଝିବା ସହିତ ଲଜିଷ୍ଟିକ୍ ଓ ଅନ୍ୟ ସହାୟତା ଯୋଗାଇ ଦେଇଥିଲେ। ଏହି ଆକ୍ରମଣରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ପଚାରି ହତ୍ୟା କରିଥିଲେ। ଏନଆଇଏ ପରଭେଜ ଓ ବଶିରକୁ ବେଆଇନ ଗତିବିଦ୍ଧି ନିୟନ୍ତ୍ରଣ ଅଧିନିୟମ ୧୯୬୭ର ଧାରା ୧୯ରେ ଗିରଫ କରିଛି। 

ଏହି ମାମଲାରେ ଏନଆଇଏକୁ ଗଣମାଧ୍ୟମ ଅନେକ ପ୍ରଶ୍ନ କରିଛନ୍ତି। ତେବେ ଏନଆଇଏ ଅଧିକାରୀମାନେ କହିଛନ୍ତି ଯେ ଏବେ ଏବେ ଆତଙ୍କବାଦୀଙ୍କ ଲୋକାଲ ସପୋର୍ଟରଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ଅଣାଯିବ ଓ ବିସ୍ତୃତ ପଚରା ଉଚରା କରାଯିବ। ସେମାନଙ୍କୁ ପହଲଗାମ ଆକ୍ରମଣ ଷଡ଼ଯନ୍ତ୍ରରୁ ଆରମ୍ଭ କରି ଆତଙ୍କବାଦୀଙ୍କୁ ଫେରାର କରିବା ଆଦି ଘଟଣାରେ ପଚରାଉଚରା କରାଯିବ। ଏଥିରେ ପାକିସ୍ତାନ ଭୂମିକା ନେଇ ମଧ୍ୟ ସେମାନଙ୍କୁ ପଚରା ଉଚରା କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.