ଭ୍ରଷ୍ଟାଚାର ମାମଲାରେ ଦକ୍ଷିଣ କୋରିଆର ପୂର୍ବତନ ଫାଷ୍ଟ ଲେଡିଙ୍କୁ ୨୦ ମାସ ଜେଲ ଦଣ୍ଡାଦେଶ

NEWS7
2-lakhs-compensation-for-every-family

ସିଓଲ ୨୮।୧: ଦକ୍ଷିଣ କୋରିଆର ଏକ କୋର୍ଟ ବୁଧବାର ପୂର୍ବତନ ଫାଷ୍ଟ ଲେଡି କିମ୍ କିଓନ ହିଙ୍କୁ ୧ ବର୍ଷ ଓ ୮ ମାସ ଜେଲ ଦଣ୍ଡାଦେଶ କରିଛନ୍ତି। ୟୁନିଫିକେସନ ଚର୍ଚ୍ଚରୁ ବ୍ୟବସାୟରେ ଲାଭ ନିମନ୍ତେ ଅତି ମୂଲ୍ୟବାନ ଉପହାର ସ୍ୱୀକାର କରିଥିବାର କୋର୍ଟରେ ସାବ୍ୟସ୍ତ ହୋଇଛି। ଏଥି ପାଇଁ ସ୍ପେଶାଲ ଓକିଲ ଜୁଙ୍ଗ-କି ଙ୍କ ଟିମ୍ କୋର୍ଟରେ ଅତିକମରେ ୧୫ ବର୍ଷ ଜେଲଦଣ୍ଡାଦେଶ ଦାବି କରିଥିଲେ। କିମ୍ କିଓନ ହି ପଦବୀରୁ ବହିଷ୍କୃତ ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ୍ ୟେଓଲଙ୍କ ପତ୍ନୀ।

ୟେଓଲଙ୍କ ଉପରେ ୨୦୨୪ ମସିହାରେ ମାର୍ଶଲ ଲ ଲାଗୁ ଉଦ୍ୟମ ସମ୍ପର୍କିତ ବିଦ୍ରୋହ ଅଭିଯୋଗରେ ମାମଲା ଜାରି ରହିଛି। ୟୋନହାପ୍ ନ୍ୟୁ୍ଜ ଏଜେନ୍ସୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସିଓଲ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ କୋର୍ଟ କିମ୍ ଙ୍କୁ କମ ଦଣ୍ଡାଦେଶ କରିଛନ୍ତି ଓ ତାଙ୍କୁ ଷ୍ଟକ୍ ପ୍ରାଇସ ଏପଟସେପଟ କରିବା ମାମଲାରେ ସାମିଲ ଥିବା ଓ ରାଜନୈତିକ ଫଣ୍ଡସ୍ ଆକ୍ଟର ଉଲ୍ଲଂଘନ ଅଭିଯୋଗରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି।

କୋର୍ଟ ବୁଧବାର ଯେଉଁ ରାୟ ଦେଇଛନ୍ତି ଏଥିରେ କିମ୍ ଓ ତାଙ୍କ ସ୍ୱାମୀ ୟେଓଲ ଦେଶର ଏପରି ପୂର୍ବତନ ରାଷ୍ଟ୍ରପତି ଦମ୍ପତ୍ତି ପାଲଟିଛନ୍ତି ଯେଉଁମାନଙ୍କୁ ଅପରାଧିକ ମାମଲାରେ ଜେଲ ହୋଇଛି। କୋର୍ଟଙ୍କ ରାୟ ଘୋଷଣା ପରେ ସ୍ପେଶାଲ ଓକିଲ ଟିମ୍ କହିଛନ୍ତି ଯେ ସେମାନେ ଏହା ଉପରେ ଅପିଲ କରିବେ। କାରଣ କୋର୍ଟଙ୍କ ଠାରୁ ଏପରି ନିଷ୍ପତ୍ତି ଆଶା କରାଯାଉନଥିଲା। ଅନ୍ୟପଟେ କିମ୍ ଙ୍କ ଓକିଲ କହିଛନ୍ତି ଯେ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ନେବା ଅଭିଯୋଗରେ ୨୦ ମାସ ଜେଲଦଣ୍ଡ ଢେର ଅଧିକ। ଏଣୁ ସେମାନେ ଅପିଲ କରିବେ କି ନା ପରେ ନିଷ୍ପତ୍ତି ନେବେ ।

କୋର୍ଟ କହିଛନ୍ତି ଯେ କିମ୍ ଙ୍କୁ ଜୁଲାଇ ୨୦୨୨ରେ ୟୁନିଫିକେସନ ଚର୍ଚ୍ଚର ଜନୈକ ଅଧିକାରୀଙ୍କଠାରୁ ଏକ ସ୍ନେଲ ବ୍ୟାଗ୍ ଓ ଏକ ହାଇ-ଏଣ୍ଡ ଗ୍ରାଫ ନେକଲେସ୍ ନେଇଥିବାର ପ୍ରମାଣିତ ହୋଇଛି। ତେବେ କୋର୍ଟ ଏପ୍ରିଲ ୨୦୨୨ରେ କିମ୍ ଙ୍କୁ ଅଧିକାରୀଙ୍କଠାରୁ ମିଳିଥିବା ଏକ ଅନ୍ୟ ସ୍ନେଲ ବ୍ୟାଗକୁ ଲାଞ୍ଚ ସ୍ୱୀକାର କରି ନାହାନ୍ତି। କାରଣ ଏଥି ପାଇଁ କୌଣସି ଖାସ୍ ଅନୁରୋଧ କରାଯାଇଥିବାର ପ୍ରମାଣ ମିଳି ନାହିଁ। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଲାଭ ନେବା ପାଇଁ ନିଜ ପଦବୀର ଭୁଲ ଉପଯୋଗ କରିଛନ୍ତି।