ପାକିସ୍ତାନରେ କୋଠା ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ; ଉଦ୍ଧାର କାର୍ଯ୍ୟ ଜାରି, ଆହୁରି ବଢ଼ିପାରେ ସଂଖ୍ୟା

Published By : Prameya-News7 Bureau | July 05, 2025 IST

indiatoday

କରାଚୀ: ପାକିସ୍ତାନର କରାଚୀରେ କୋଠା ଭୁଶୁଡ଼ି ପଡ଼ିବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଛି। କରାଚୀର ଲୟାରି ଏରିଆରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷ ସଫେଇ କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। 

ଡେପୁଟି କମିଶନର ସାଉଥ୍ ଜାଭେଦ ଲେଘାରି କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଏବଂ ୬ ଜଣ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେ କହିଛନ୍ତି “ଦୁର୍ଭାଗ୍ୟବଶତଃ, ଗତକାଲି ଅପରାହ୍ନରୁ ଉଦ୍ଧାରକାରୀ ଦଳମାନେ କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ କୋଠାର ଭଗ୍ନାବଶେଷ ତଳେ ଆହୁରି ମୃତଦେହ ରହିଥାଇ ପାରେ ଓ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି।”

ଶୁକ୍ରବାର ଦିନ ଲୟାରିର ବାଗଦାଦି ଅଞ୍ଚଳରେ ଥିବା ପାଞ୍ଚ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ୭ ମୃତଦେହ ଉଦ୍ଧାର କରାଯାଇଥିଲା ବୋଲି କରାଚୀ ମେୟର ମୁର୍ତ୍ତାଜା ୱାହାବ ଘଟଣା ସ୍ଥଳରେ ମିଡିଆକୁ ସୂଚନା ଦେଇଥିଲେ। ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। କରାଚୀର ପୁରୁଣା ଅଞ୍ଚଳରେ ଏହି କୋଠାଟି ଜୀର୍ଣ୍ଣ କୋଠା ତାଲିକାରେ ଥିଲା। 

ଅଧିକାରୀ କହିଛନ୍ତି ଯେ ୨୨ଟି ପୁରୁଣା କୋଠା ଥିଲା, ଯେଉଁଥିରୁ ୧୬ଟିକୁ କର୍ତ୍ତୃପକ୍ଷ ଖାଲି କରିଦେଇଛନ୍ତି, କିନ୍ତୁ ୬ଟିରେ ଏବେ ବି ଲୋକେ ରହୁଥିଲେ ଏବଂ ସେମାନେ ଉକ୍ତ କୋଠା ଛାଡିବାକୁ ଚାହୁଁ ନଥିଲେ। ତେବେ ଉଦ୍ଧାର କାର୍ଯ୍ୟ ଆହୁରି ୧୦-୧୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ କହିଛନ୍ତି। ଲୟାରି କରାଚୀର ସବୁଠାରୁ ଭିଡ଼ପୂର୍ଣ୍ଣ ତିଳିଆ ଅଞ୍ଚଳ ଏବଂ ନିମ୍ନ ଆୟକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ।

ଚଳିତ ସପ୍ତାହ ଆରମ୍ଭରେ, ସୋଲଜର ବଜାର ଅଞ୍ଚଳର ଏକ ପୁରୁଣା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୨୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା, ଯାହା ଫଳରେ ଉପର ମହଲାରେ ବାସିନ୍ଦା ଫସି ରହିଥିଲେ। ପ୍ରାଦେଶିକ ସରକାର ପୁରୁଣା କରାଚୀ ଅଞ୍ଚଳର ପ୍ରାୟ ୫୭୦ କୋଠାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ଏବଂ ବାସିନ୍ଦାମାନଙ୍କୁ ସେଗୁଡ଼ିକୁ ଖାଲି କରିବାକୁ କହିଛନ୍ତି।


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.