ନୂଆଦିଲ୍ଲୀ: ଶ୍ରୀଲଙ୍କା ଜଳଦସ୍ୟୁଙ୍କ ଆକ୍ରମଣରେ ଆହତ ହେଲେ ଭାରତୀୟ ମତ୍ସ୍ୟଜୀବୀ। ଶୁକ୍ରବାର କୋରୋମଣ୍ଡଳେଲ୍ ଉପକୂଳରେ ମାଛ ଧରିବା ସମୟରେ ତାମିଲନାଡୁର ନାଗାପଟ୍ଟିନମ୍ ଜିଲ୍ଲାର ୩୦ରୁ ଅଧିକ ମତ୍ସ୍ୟଜୀବୀ ଶ୍ରୀଲଙ୍କା ଜଳଦସ୍ୟୁଙ୍କ ଏକ ଗୋଷ୍ଠୀ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୧୭ ଜଣ ଏହି ଆକ୍ରମଣରେ ଆହତ ହୋଇଛନ୍ତି।
ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ସେମାନେ କୋଡିଆକ୍କାରାଇର ଦକ୍ଷିଣ-ପୂର୍ବରେ ଥିବା ବେଳେ ଏକ ସ୍ପିଡ୍ ବୋଟରେ ୬ ଜଣ ଲୋକ ସେମାନଙ୍କ ପାଖକୁ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଆଖପାଖରେ ଥିବା ଅନ୍ୟ ଡଙ୍ଗାଗୁଡ଼ିକୁ ଟାର୍ଗେଟ କରିବା ପୂର୍ବରୁ ଜିପିଏସ ଉପକରଣ ଏବଂ ମାଛ ଧରିବା ଜାଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ଜିନିଷଗୁଡ଼ିକର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ଘଟଣାରେ କୂଳକୁ ଫେରିବା ପରେ ୧୭ ଜଣ ଆହତ ମତ୍ସ୍ୟଜୀବୀଙ୍କୁ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାରତୀୟ ଜଳସୀମା ମଧ୍ୟରେ ହିଁ ଏହି ଆକ୍ରମଣ ହୋଇଥିଲା ବୋଲି ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ପଢନ୍ତୁ- ଚେନ୍ନାଇରୁ ଶ୍ରୀଲଙ୍କା ଯାଉଥିବା ବିମାନରେ ୫ ଲସ୍କର ଆତଙ୍କବାଦୀ: ଆସିଲା ଧମକପୂର୍ଣ୍ଣ ମେଲ୍
ସେରୁଧୁରର ଜଣେ ମତ୍ସ୍ୟଜୀବୀ ଗଜେନ୍ଦ୍ରନ କହିଛନ୍ତି"ଶ୍ରୀଲଙ୍କା ଜଳଦସ୍ୟୁମାନେ ଆମ ଉପରେ ଆକ୍ରମଣ କରିଛନ୍ତି, ଏବଂ ଅନେକ ମତ୍ସ୍ୟଜୀବୀ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆମେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ। ଆମେ ବର୍ତ୍ତମାନ ଧର୍ମଘଟରେ ଅଛୁ, ଏବଂ ଯଦି ଏପରି ଆକ୍ରମଣ ଜାରି ରହେ, ତେବେ ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ ଆରମ୍ଭ କରିବୁ।"
ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ଏହିପରି ସମାନ ଘଟଣା ଘଟିଥିଲା। ଶ୍ରୀଲଙ୍କା ଜଳଦସ୍ୟୁଙ୍କ ଏକ ଗୋଷ୍ଠୀ ଦ୍ୱାରା ଆକ୍ରମଣ ଏବଂ ଲୁଟ୍ ହେବା ପରେ ତିନି ଜଣ ତାମିଲନାଡୁ ମତ୍ସ୍ୟଜୀବୀ ଆହତ ହୋଇଥିଲେ। କେବେ ଜଳଦସ୍ୟୁଙ୍କ ଆକ୍ରମଣ ତ ଆଉ କେତେବେଳେ ଶ୍ରୀଲଙ୍କା ତଟରକ୍ଷୀ ବାହିନୀଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି ଭାରତୀୟ ମତ୍ସ୍ୟଜୀବୀ। ହେଲେ ଭାରତ ସରକାର ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳୁ ନଥିବା ଅଭିଯୋଗ ହେଉଛି। ଏନେଇ ତାମିଲନାଡୁ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।