ରକ୍ତର ସଂଘର୍ଷ ପାଲଟିଲା ଉତ୍ସବର ସନ୍ଧ୍ୟା, ନାଚୁଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ, ୧୨ ମୃତ

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ ୨୬/୦୬: ରକ୍ତରଞ୍ଜିତ ହେଲା ମେକ୍ସିକୋ ସହର । ସେଲିବ୍ରେସନ ସନ୍ଧ୍ୟା ପାଲଟିଲା ରକ୍ତର ହୋଲି । କାରଣ ଗୁଳିର ଶବ୍ଦରେ ପ୍ରକମ୍ପିତ ହୋଇଗଲା ପରିବେଶ । ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ମେକ୍ସିକୋର ହିଂସା ପ୍ରଭାବିତ ରାଜ୍ୟ ଗୁଆନାଜୁଆଟୋରେ ଘଟିଛି ଏହି ଅଘଟଣ । 

ସୂଚନା ଥାଉକି, ଲୋକମାନେ ଗୁଆନାଜୁଆଟୋରେ ଏଠାରେ ଉତ୍ସବ ପାଳନ କରୁଥିଲେ । ତା’ପରେ ବନ୍ଧୁକଧାରୀମାନେ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଦେଲେ । ଘଟଣାଟି ଗୁଆନାଜୁଆଟୋର ଇରାପୁଆଟୋ ସହରରେ ଘଟିଛି। ସ୍ଥାନୀୟ ଲୋକମାନେ ସେଣ୍ଟ ଜନ୍ ଦି ବାପ୍ଟିଷ୍ଟଙ୍କ ସମ୍ମାନାର୍ଥେ ନାଚୁଥିବା ଓ ଡ୍ରିଙ୍କସ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । 

ଅନଲାଇନରେ ସେୟାର କରାଯାଇଥିବା ଭିଡିଓଗୁଡ଼ିକ ଦର୍ଶାଉଛି ଯେ ଗୁଳିଚାଳନା ଆରମ୍ଭ ହେବା ପରେ ଲୋକମାନେ ଭୟଭୀତ ହୋଇ ଦୌଡ଼ୁଥିଲେ। ଲୋକମାନେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଏଥିରେ ଝିଅ ଏବଂ ପୁଅମାନେ ଏକ ରାସ୍ତାରେ ନାଚୁଛନ୍ତି। ଚାରିପାଖରେ ମଜାର ପରିବେଶ ରହିଛି। 

ଝିଅମାନେ କ୍ଷୀଣ ଆଲୋକରେ ନାଚୁଛନ୍ତି, ଏହାର କିଛି ସେକେଣ୍ଡ ପରେ ହଠାତ୍ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ପରେ ସେଠାରେ ଗଣ୍ଡଗୋଳ ହୁଏ। ଲୋକମାନେ ଚିତ୍କାର କରି ଦୌଡ଼ିବାକୁ ଆରମ୍ଭ କରନ୍ତି। ଇରାପୁଆଟୋର ଜଣେ ଅଧିକାରୀ ରୋଡୋଲଫୋ ଗାମେଜ୍ ସର୍ଭାଣ୍ଟେସ୍ ନିଶ୍ଚିତ କରିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି, ଯେତେବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.