୧୫ଜୁନରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟରେ ୧୧୪ ଫ୍ଲାଇଟ୍ ରହିବ ବାତିଲ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ ୭।୬:ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଡିଆଇଏଏଲ)ରେ ଆସନ୍ତା କିଛି ମାସ ପର୍ଯ୍ୟନ୍ତ କେତେକ ଫ୍ଲାଇଟ୍ ରଦ୍ଦ ହୋଇପାରେ। ଏହି ସୂଚନା ଦେଇଛନ୍ତି ଡିଆଇଏଏଲ ସିଇଓ ଭିଦେହ କୁମାର ଜୟପୁରିୟା। ସେ କହିଛନ୍ତି ଜୁନ ୧୫ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ୧୧୪ଟି ଦୈନିକ ଉଡାଣ ରଦ୍ଦ ହୋଇପାରେ। ଏଥିରେ ଯେଉଁ ଫ୍ଲାଇଟ୍ ରଦ୍ଦ ହେବ ତାର ଟିକେଟ୍ ରିଫଣ୍ଡ ଏୟାରଲାଇନ୍ସ କରିବେ। 

ଭିଦେହ କୁମାର କହିଛନ୍ତି ଯେ ଦିଲ୍ଲୀ ଏୟାରପୋର୍ଟରେ ରନୱେ ଅପଗ୍ରେଡ କରିବା ପାଇଁ ଫ୍ଲାଇଟସ୍ କ୍ୟାନସଲ କରାଯିବ। ଏହି କାମ ବିମାନ ଭିଡ ଯୋଗୁ ବିଳମ୍ବିତ ହୋଇଛି। ଏବେ ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ (ଆଇଏଲଏସ)କୁ ସିଏଟି-୩ ମାନକ ଅନୁସାରେ ଅପଗ୍ରେଡ କରାଯିବ। ଏହା ଦ୍ୱାରା ଶୀତ ଋତୁରେ ଘନ କୁହୁଡି ଯୋଗୁ ବିମାନ ସଞ୍ଚାଳନରେ ହେବାକୁ ଥିବା ସମସ୍ୟା ଦୂର ହେବ। ଶୀତ ଋତୁରେ ପରିଚାଳନା ଦକ୍ଷତା କାୟମ ରଖିବା ପାଇଁ ଏହି ଅପଗ୍ରେଡ ଗୁରୁତ୍ୱପୂର୍ଣ୍ଣ। 

ଭାରତର ସବୁଠୁ ବଡ଼ ଓ ବ୍ୟସ୍ତତମ ବିମାନ ବନ୍ଦର ମଧ୍ୟରୁ ଅନ୍ୟତମ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର ଦୈନିକ ୧,୪୫୦ ଉଡାଣ ସଞ୍ଚାଳିତ ହୋଇଥାଏ। ରନୱେ ୧୦/୨୮କୁ ଅପଗ୍ରେଡ କରିବା ଅତ୍ୟନ୍ତ ଜରୁରି ହୋଇପଡିଛି। ଏଣୁ ୩ ମାସରେ ୨୦୦ ଉଡାଣ ପ୍ରଭାବିତ ହୋଇପାରେ। ଏଥିରୁ ୧୧୪ଟିକୁ ବାତିଲ କରାଯିବ ଓ ବାକି ୮୬ଟି ବିମାନକୁ ସ୍ୱଳ୍ପ ଅବଧି ନିମନ୍ତେ ସଞ୍ଚାଳିତ କରାଯିବ। ସେପ୍ଟେମ୍ବର ମଧ୍ୟ ସୁଧା ରନୱେ ଖୋଲିଯିବ। ତେବେ ଆଇଏଲଏସ ଅପଗ୍ରେଡ କାମ ଠିକ୍ ଶୀତ ଋତୁ ପୂର୍ବରୁ ନଭେମ୍ବର ୨୭ ତାରିଖ ସୁଧା ଶେଷ ହେବ। 

ଏଥି ପାଇଁ ଯାତ୍ରୀଙ୍କୁ କିଛି ସମୟ ଲାଗି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ତେବେ ଦୀର୍ଘକାଳ ନିମନ୍ତେ ଏହା ଲାଭଜନକ ସାବ୍ୟସ୍ତ ହେବ। ଘନ କୁହୁଡି ସମୟରେ ମଧ୍ୟ ବିମାନ ସଞ୍ଚାଳନରେ ଅସୁବିଧା ରହିବନି। ତେବେ ରନୱେ ବନ୍ଦ ହେବା କାରଣରୁ ପ୍ରତି ଘଣ୍ଟା ଆଗମନ କ୍ଷମତା ୪୨ରୁ ହ୍ରାସ ହୋଇ ୩୨ ହୋଇଯିବ। ଏଥିରେ ମୁମ୍ବାଇ ଓ ପାଟନା ଭଳି ପ୍ରମୁଖ ମାର୍ଗ ପ୍ରଭାବିତ ହେବ। ଏହି ରଣନୈତିକ ନିଷ୍ପତ୍ତି କମ ଯାତ୍ରା ଋତୁରେ ନିଆଯାଇଛି। ଏହା ଦ୍ୱାରା ଉତ୍ସବ ଋତୁରେ ଯାତ୍ରା ବ୍ୟବଧାନକୁ ରୋକା ଯାଇ ପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.