ନୂଆଦିଲ୍ଲୀ: ଭାରତରେ ପାଖାପାଖି ୧୪୦ କୋଟି ଲୋକ ରହୁଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମାନଙ୍କ ମଧ୍ୟରୁ ୧୦୦ କୋଟି,ମାନେ ୯୦ ପ୍ରତିଶତ ଲୋକଙ୍କ ପାଖରେ ମନ ଖୁସିରେ କିଛି କିଣିବାକୁ ପଇସା ନାହିଁ। ଏମାନେ କେବଳ ଆବଶ୍ୟକତାର ଜିନିଷ ହିଁ କିଣିପାରିବେ। ଏକଥା ଆମେ କହୁନୁ, ଏକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଦେଶର ଅର୍ଥନୀତିରେ ଡେଣା ଲାଗିଛି ବୋଲି ବହୁତ ପ୍ରଚାର ତ ହେଉଛି, ହେଲେ ସାଧାରଣ ଲୋକଙ୍କ ଅବସ୍ଥାରେ ଏପର୍ଯ୍ୟନ୍ତ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଉନାହିଁ।
ଦେଶର ଅର୍ଥନୀତିରେ ଡେଣା ଲାଗିଛି ବୋଲି ବହୁତ ପ୍ରଚାର ହେଉଛି ହେଲେ ସାଧାରଣ ଲୋକଙ୍କ ଅବସ୍ଥାରେ ଏପର୍ଯ୍ୟନ୍ତ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଉନାହିଁ। ଭେଞ୍ଚର କ୍ୟାପିଟାଲ୍ ଫାର୍ମ ବ୍ଲୁମ୍ ଭେଞ୍ଚର୍ସର ଏକ ଅଧ୍ୟୟନ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଗବେଷଣା ରିପୋର୍ଟ ଅନୁଯାୟୀ, ପ୍ରାୟ ୧୦୦ କୋଟି ଭାରତୀୟ, ଅର୍ଥାତ୍ ଦେଶର ଜନ ସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପାଖରେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ଠାରୁ ଅଧିକ ଟଙ୍କା ନାହିଁ। ଜରୁରି ସାମାନ କିଣିବା ପରେ ଯଦିବା କେବେ ମନ ହେଲା କିଛି ନୂଆ ଜିନିଷ ଘରକୁ ଆଣିବା କିମ୍ବା କିଛି ନୂଆ ସର୍ଭିସ୍ ଆରମ୍ଭ କରିବା ତେବେ ସେମାନେ କେବଳ ପକେଟ ଅଣ୍ଡାଳିବା ଛଡ଼ା ଆଉ କିଛି କରିପାରୁ ନାହାନ୍ତି। ଶେଷରେ ମନ କଥା ମନରେ ହିଁ କୁହୁଳୁଛି।
ତେବେ ୧୪୦ କୋଟି ଜନସଂଖ୍ୟାର ଦେଶରେ କେବଳ ୧୩ ରୁ ୧୪ କୋଟି ବା ମୋଟ ଜନ ସଂଖ୍ୟାର ମାତ୍ର ୧୦ ପ୍ରତିଶତ ଲୋକ ଦେଶର ଅର୍ଥ ବ୍ୟବସ୍ଥା ଚଳାଇବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଅର୍ଥାତ୍ ଏମାନେ ନିଜର ଆବଶ୍ୟକତା ପୂରଣ କରିସାରିବା ପରେ ବି ଇଚ୍ଛା ଅନୁସାରେ ସାମଗ୍ରୀ ଓ ସେବା କିଣିପାରୁଛନ୍ତି ବୋଲି ବ୍ଲୁମ୍ ଭେଞ୍ଚର୍ସର ଗବେଷଣା ରିପୋର୍ଟରେ ଦର୍ଶାଇଛି।
ପଢନ୍ତୁ- ପୁରୁଣା ବିମାନକୁ ବଦଳାଇବାକୁ ବାୟୁସେନାକୁ ବର୍ଷକୁ ୩୫-୪୦ ବିମାନ ଆବଶ୍ୟକ: ବାୟୁସେନା ମୁଖ୍ୟ
ସେପଟେ ବିବିସିର ଏକ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି। ସଂସ୍ଥା କହିଛି ଏସିଆର ତୃତୀୟ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାରେ କଞ୍ଜପସନ ବଢ଼ୁ ନାହିଁ। ଦେଶରେ ଧନୀ ଲୋକଙ୍କ ସଂଖ୍ୟା ବଢ଼ୁ ନାହିଁ ବରଂ ଧନୀ ଆହୁରି ଧନୀ ହେଉଛି ଓ ଗରିବ ଆହୁରି ଗରିବ। ବ୍ଲୁମ୍ ଭେଞ୍ଚର୍ସର ଇଣ୍ଡସ ଭ୍ୟାଲି ବାର୍ଷିକ ରିପୋର୍ଟ ୨୦୨୫ରେ କୁହାଯାଇଛି ଯେ ଭାରତର ଶୀର୍ଷ ୧୦% ଲୋକ ଦେଶର ଆୟର ୫୭.୭% ନିୟନ୍ତ୍ରଣ କରୁଛନ୍ତି। ସେହିପରି ନିମ୍ନ ଭାଗରେ ୫୦% ଲୋକଙ୍କ ଆୟର ଅଂଶ ୨୨.୨% ରୁ ୧୫% କୁ ହ୍ରାସ ପାଇଛି। ଏହା ବ୍ୟତୀତ, ଦେଶର ୩୦ କୋଟି ଲୋକ ବର୍ତ୍ତମାନ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ଏମାନଙ୍କୁ 'ଉଦୀୟମାନ' କିମ୍ବା ' ଆଗ୍ରହୀ' ଗ୍ରାହକ ଶ୍ରେଣୀରେ ରଖାଯାଇଛି। କିନ୍ତୁ ଏମାନେ ସେମାନଙ୍କ ଖର୍ଚ୍ଚ ପ୍ରତି ମଧ୍ୟ ବହୁତ ସତର୍କ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସାମ୍ପ୍ରତିକ ସମୟରେ ଲୋକଙ୍କ ଖର୍ଚ୍ଚ କରିବାର ଶକ୍ତି ହ୍ରାସ ପାଇଛି। ତା’ ସହିତ ସେମାନଙ୍କର ସଞ୍ଚୟ ମଧ୍ୟ ଦ୍ରୁତ ଗତିରେ କମୁଛି ଓ ଋଣ ବୋଝ ବୃଦ୍ଧି ପାଉଛି। ଏହି କାରଣରୁ, ବଜାର ଢାଞ୍ଚା ବଦଳି ଯାଇଛି ଏବଂ କମ୍ପାନୀଗୁଡ଼ିକ ଏବେ ଶସ୍ତା ସାମଗ୍ରୀ ବଦଳରେ ପ୍ରିମିୟମ୍ ଉତ୍ପାଦ ଉପରେ ଧ୍ୟାନ ଦେଉଛନ୍ତି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ରିଅଲ୍ ଇଷ୍ଟେଟ୍ ସେକ୍ଟର, କାରଣ ଏହି ଟ୍ରେଣ୍ଡ ଏଥିରେ ସ୍ପଷ୍ଟ ଦେଖାଯାଉଛି। ତଥ୍ୟ ଅନୁଯାୟୀ, ୫ ବର୍ଷ ପୂର୍ବେ ମୋଟ ରିଅଲ୍ ଇଷ୍ଟେଟ୍ ବିକ୍ରିରେ ଆଫର୍ଡେବଲ ହାଉସିଂର ଅଂଶ ଅର୍ଥାତ୍ ସୁଲଭ ବିକ୍ରି ୪୦% ଥିଲା, ଯାହା ଏବେ ମାତ୍ର ୧୮%କୁ ଖସି ଆସିଛି।
ନିକଟରେ କୋଲ୍ଡପ୍ଲେ ଏବଂ ଏଡ୍ ଶିରାନଙ୍କ କନସର୍ଟର ଟିକେଟ୍ ସମ୍ପୂର୍ଣ୍ଣ ବିକ୍ରି ହୋଇଯାଇଥିଲା। ଏଥିରେ ଏହାକୁ ଉଦାହରଣ ରୂପେ ନେଇ କୁହାଯାଇଛି ଯେ ଭାରତର ଲୋକମାନେ ଏବେ ଅଭିଜ୍ଞତା ଉପରେ ଖର୍ଚ୍ଚ କରିବା ଆରମ୍ଭ କରିଦେଲେଣି ଆର୍ଥାତ୍ ଦେଶରେ "ଏକ୍ସପିରିଏନ୍ସ ଇକୋନୋମି" ଦ୍ରୁତ ଅଭିବୃଦ୍ଧି ହେଉଛି। ଏକ୍ସପିରିଏନ୍ସ ଇକୋନୋମିର ଅର୍ଥ ହେଉଛି ଲୋକଙ୍କ ଜୀବନର ପକାଉଥିବା ପ୍ରଭାବକୁ ଦେଖି ସେହି ସାମଗ୍ରୀ ଓ ସେବା ବିକ୍ରି କରିବା। ଯାହାର ଉଦାହରଣ ଏହି ଦୁଇଟି କନସର୍ଟ।
ପଢନ୍ତୁ- ପହିଲାରୁ ମହଙ୍ଗା ମାଡ, ବଢିଲା କମର୍ସିଆଲ ଗ୍ୟାସ୍
ଚଳିତ ମାସରେ ଉପସ୍ଥାପିତ ବଜେଟରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ଚାପ କମ କରିବାକୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ଆୟକର ଛାଡ଼ କରିଥିଲେ। ଯାହା ଦେଶର ୯୨% ବେତନଭୋଗୀ ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲା। କିନ୍ତୁ ଏହା ସତ୍ତ୍ୱେ, ଭାରତର କଞ୍ଜପସନ ବା ଖର୍ଚ୍ଚ ଚୀନ୍ ଅପେକ୍ଷା ୧୩ ବର୍ଷ ପଛରେ ରହିଛି। କାରଣ ଚୀନରେ ୨୦୧୦ ମସିହାରେ ମୁଣ୍ଡ ପିଛା ଖର୍ଚ୍ଚ ବା କଞ୍ଜ୍ୟୁମ ୧,୫୯୭ ଡଲାର ଥିଲା। ଏହାର ୧୩ ବର୍ଷ ପରେ ଅର୍ଥାତ୍ ୨୦୨୩ରେ ବି ଭାରତର ଖର୍ଚ୍ଚ ସେତିକି ହୋଇପାରି ନାହିଁ। ୨୦୨୩ରେ ଭାରତର ମୁଣ୍ଡପିଛା ଖର୍ଚ୍ଚ ବା କଞ୍ଜ୍ୟୁମ ୧,୪୯୩ ଡଲାର ଥିଲା।
ଶେଷରେ ରିପୋର୍ଟରେ ଏହି ସିଦ୍ଧାନ୍ତ ଦିଆଯାଇଛି ଯେ ଭାରତର ଜିଡିପି ଗ୍ରାହକଙ୍କ ଖର୍ଚ୍ଚ ଉପରେ ବହୁଳ ଭାବରେ ନିର୍ଭର କରେ। ତଥାପି, ଆୟ ବଣ୍ଟନରେ ଉନ୍ନତି ନ ଆସିଲେ, ବ୍ୟବସାୟଗୁଡ଼ିକ କେବଳ ଉଚ୍ଚ-ଆୟ ଗୋଷ୍ଠୀର ଆବଶ୍ୟକତା ପୂରଣ କରିପାରିବେ। ଫଳରେ ଦେଶର ବହୁ ସଂଖ୍ୟାରେ ଥିବା ନିମ୍ନମଧ୍ୟବିତ୍ତ ଓ ଗରିବ ଲୋକେ ଆହୁରି ଦୁର୍ବଳ ହୋଇଯିବେ।
ବ୍ଲୁମ ଭେଞ୍ଚର ରିପୋର୍ଟକୁ ଆଧାର କରି ବିବିସି ଲେଖିଛି ଭାରତୀୟ ଲୋକଙ୍କ ଖର୍ଚ୍ଚରେ ଦେଖା ଯାଉଥିବା ଏହି ହ୍ରାସ ଆର୍ଥିକ ସଞ୍ଚୟ ହ୍ରାସ ଏବଂ ଋଣ ବୃଦ୍ଧି ସହିତ ଜଡିତ। ସେହିପରି ଯେଉଁ ମଧ୍ୟବିତ୍ତଙ୍କ କଥା ସରକାର ବାରମ୍ବାର କହୁଛନ୍ତି, ସେମାନେ ବି ଚିନ୍ତାରେ। କାରଣ ସେମାନଙ୍କ ଦରମା ବଢ଼ୁ ନାହିଁ ଓଲଟି ସଂକୁଚିତ ହେବାରେ ଲାଗିଛି। ସେପଟେ ‘ଦ ଇକୋନୋମିଷ୍ଟ ଲେଖିଛି ଆଜିକାଲିର ବଡ଼ ବଡ଼ ଘୋଷଣା ମଧ୍ୟରେ ଭାରତକୁ ବିକଶିତ କରିବା ପାଇଁ ଥିବା ଏକ ଲୋକପ୍ରିୟ ଧାରଣା "ଦାରିଦ୍ର୍ୟ ଦୂରୀକରଣ"
ପାଇଁ ଉତ୍ପାଦନ ଚମତ୍କାର ଆବଶ୍ୟକ ନାହିଁ।’ଅଣଦେଖା ହୋଇଯାଇଛି। ଏଥିପାଇଁ କୌଣସି ମେନୁଫେକ୍ଚରିଂ ଚମତ୍କାରର ଆବଶ୍ୟକତା ନାହିଁ ବୋଲି ଦି ଇକୋନୋମିଷ୍ଟ କହିଛି। ରିପୋର୍ଟରେ ଆହୁରି ଲେଖାଯାଇଛି ଯେ ଭାରତ ଦାରିଦ୍ର୍ୟର ସବୁଠାରୁ ଚରମ ରୂପକୁ ପ୍ରାୟତଃ ଦୂର କରିସାରିଛି। ଭାରତର ୪୦% ରୁ ଅଧିକ ଶ୍ରମିକ ଏବେ ବି କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ହୁଏତ ଲୋକମାନେ ଜମି ନ ଛାଡ଼ି ଦାରିଦ୍ର୍ୟ ଛାଡିପାରିବେ ବୋଲି ଇକୋନୋମିଷ୍ଟ କହିଛି।